ଲେଡି ଫାର୍ମାସିଷ୍ଟଙ୍କ ତଣ୍ଟିକାଟି ହତ୍ୟା ଘଟଣା : ପୁରୁଣା ପ୍ରେମିକ ଗିରଫ

ଭୁବନେଶ୍ୱର : ଇନ୍‌ଫୋସିଟି ଥାନା ଅଧୀନ କାନନବିହାର ଫେଜ-୨ ଏମ୍‌ଆଇଜି ୫ରେ ଭଡ଼ାରେ ରହୁଥିବା ହସିନା ଦାସ ନାମକ ଜଣେ ଲେଡି ଫାର୍ମାସିଷ୍ଟ ହତ୍ୟା ଘଟଣାର ପର୍ଦାଫାସ ହୋଇଛି। ହସିନାଙ୍କ ପୁରୁଣା ପ୍ରେମିକ ହିଁ ହତ୍ୟାକାରୀ ବୋଲି ପୁଲିସ ସ୍ପଷ୍ଟ କରିଛି। ତା ନାଁ ପ୍ରଦ୍ୟୁମ୍ନ କୁମାର ପରିଡ଼ା। ନିଜ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ନୂଆସାହିରେ। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ କୋଳଥିଆରେ ଭଡ଼ାରେ ରହୁଥିଲା। ପୁଲିସ ତା ନିକଟରେ ହତ୍ୟାକାଣ୍ଡରେ ବ୍ୟବହୃତ ରୋଷେଇ ଛୁରି, ତକିଆ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଆଜି ତାକୁ କୋର୍ଟ ଚାଲାଣ କରିଛି ପୁଲିସ। ଦୀର୍ଘ ୧୦ ଦିନ ଧରି ପୁଲିସ ଚାରିପଟେ ଘୂରି ବୁଲି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଥିବା ହସିନାଙ୍କ ପୁରୁଣା ପ୍ରେମିକ ଯେ ଶେଷରେ ହତ୍ୟାକାରୀ ବୋଲି ଜାଣିବା ପରେ ପୁଲିସ ମୁଣ୍ଡ ଘାବରେଇ ଯାଇଛି। ଏଥିପାଇଁ ତାକୁ ରିମାଣ୍ଡରେ ଅଣା ଯାଇ ପଚରାଉଚରା କରାଯାଇ ପାରେ ବୋଲି ପୁଲିସ କହିଛି।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଏକ ସମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୧୨ରେ ଉଭୟ ହସିନା ଓ ହତ୍ୟାକାରୀ ପ୍ରଦ୍ୟୁମ୍ନ କଳିଙ୍ଗ ହସ୍ପିଟାଲର ଲାବ୍ରୋଟାରିରେ କାମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ସେହି ସମୟରେ ସୁ-ସମ୍ପର୍କ ଗଢ଼ି ଉଠିଥିଲା। ପରେ ୨୦୧୭ରେ ହସିନା କଳିଙ୍ଗ ହସ୍ପିଟାଲ ଛାଡ଼ି ଆପୋଲା ହସ୍ପିଟାଲରେ କାମ କରିଥିଲେ। କିଛି ଦିନ ପରେ ପ୍ରଦ୍ୟୁମ୍ନ ମଧ୍ୟ କଳିଙ୍ଗ ହସ୍ପିଟାଲରୁ କାମ ଛାଡ଼ି ଦେଇଥିଲେ। ଏହି ସମୟ ମଧ୍ୟରେ ହସିନା ଜାଣିବାକୁ ପାଇଥିଲେ କି ପ୍ରଦ୍ୟୁମ୍ନ ବିବାହିତ। ତାଙ୍କର ଗୋଟିଏ ଝିଅ ଅଛି। ଏହା ଜାଣିବା ପରେ ହସିନା ଧୀରେ ଧୀରେ ପ୍ରଦ୍ୟୁମ୍ନଙ୍କଠାରୁ ଦୂରେଇବାରେ ଲାଗିଲେ। ହସିନା ଦୂରେଇ ଯାଉଥିବା ଜାଣିବା ପରେ ପ୍ରଦ୍ୟୁମ୍ନ ହିଂସ୍ର ହୋଇ ଉଠିଥିଲା। ଏ ନେଇ ସେ ହସିନାଙ୍କୁ ଜୀବନରୁ ମାରି ଦେବାକୁ ଯୋଜନା ଆରମ୍ଭ କରିଥିଲା।

କେମିତି ଥିଲା ଘଟଣା
ଘଟଣା ସଂଧ୍ୟାରେ ପ୍ରଦ୍ୟୁମ୍ନ ହସିନାଙ୍କ ନିକଟକୁ ଫୋନ୍‌ କରିଥିଲା। କିନ୍ତୁ ହସିନା ଆଉ ଫୋନ୍‌ ଉଠାଇ ନ ଥିଲେ। ଫୋନ୍‌ ନ ଉଠାଇବାରୁ ପ୍ରଦ୍ୟୁମ୍ନ ରାଗି ଯାଇଥିଲେ। ସିଧା ବାଇକ୍‌ ଧରି ହସିନାଙ୍କ ଭଡ଼ା ଘରେ ପହଞ୍ଚି ଯାଇଥିଲେ। ସେଠାରେ ସେ ହସିନାଙ୍କୁ ଦେଖି ଟିକେ ଶାନ୍ତ ପଡ଼ିଥିଲେ। ଦୁହେଁ ପରେ ଏକ ସ୍ଥାନୀୟ ପାର୍କକୁ ବୁଲି ଯାଇଥିଲେ। ସେଠାରୁ ରାତି ୧୦ଟା ବେଳେ ଘରକୁ ଫେରିଥିଲେ। ରୋଷେଇ କରି ଦୁହେଁ ଖାଇଥିଲେ। ଏହା ପରେ ପ୍ରଦ୍ୟୁମ୍ନଙ୍କ ମନରେ ଥିବା ସନ୍ଦେହ କଥା ନେଇ ହସିନାଙ୍କ ସହ ଆଲୋଚନା କରୁ କରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରଦ୍ୟୁମ୍ନ ହିଂସ୍ର ହୋଇ ଉଠିଥିଲା। ହଠାତ ରୋଷେଇ ଘରକୁ ଯାଇ ପରିବା କଟା ଛୁରି ଆଣି ହସିନାଙ୍କୁ ପଛପଟୁ ଧରି ବେକରେ ଛୁରି ଲଗାଇ ଦେଇଥିଲା। ହସିନା ମଧ୍ୟ ଜୀବନ ବଞ୍ଚାଇବାକୁ ଯାଇ ପ୍ରଦ୍ୟୁମ୍ନଙ୍କ ସହିତ ଧସ୍ତାଧସ୍ତି କରିଥିଲେ। ଶେଷରେ ପ୍ରଦ୍ୟୁମ୍ନ ଛୁରିରେ ହସିନାଙ୍କ ବେକକୁ ୩ ଥର କାଟି ପକାଇଥିଲା। ହସିନା ଚିତ୍କାର କରିବାରୁ ତକିଆ ଆଣି ତାଙ୍କ ମୁହଁରେ ପକାଇ ଚାପି ରଖିଥିଲା। କିଛି ସମୟରେ ପରେ ହସିନାଙ୍କ ଶରୀର ନିସ୍ତେଜ ହୋଇ ଯାଇଥିଲା। ହସିନା ମରିଯିବା ଜାଣିବା ପରେ ପ୍ରଦ୍ୟୁମ୍ନ ଘର କବାଟ ଅଧା ବନ୍ଦ କରି ପଳାଇଥିଲା।

କେମିତି ପଡ଼ିଲା ଧରା
ହତ୍ୟାକାଣ୍ଡ ପରେ ପୁଲିସ ହସିନାଙ୍କ ମୋବାଇଲ୍‌ ଫୋନ୍‌ ଯାଞ୍ଚ କରିବା ଆରମ୍ଭ କରିଥିଲା। ଘଟଣା ରାତିରେ ହସିନାଙ୍କ ମୋବାଇଲ୍‌ ଫୋନ୍‌କୁ ପ୍ରଦ୍ୟୁମ୍ନ ପାଖାପାଖି ୪୦ ଥର ଫୋନ୍‌ କଲ୍‌ କରିଥିଲା। ଏହି କାରଣରୁ ପୁଲିସ ପ୍ରଦ୍ୟୁମ୍ନ ଉପରେ ସନ୍ଦେହ ପ୍ରକଟ କରିବା ଆରମ୍ଭ କରିଥିଲା। ଏଣେ ପ୍ରଦ୍ୟୁମ୍ନ ପୁଲିସ ଓ ହସିନାଙ୍କ ବାପାଙ୍କ ଚାରି ପଟେ ରହି ପୁଲିସ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଥିଲା। ତେଣୁ ପୁଲିସ ଅଡୁଆରେ ପଡ଼ି ଯାଇଥିଲା। ଶେଷରେ ପୁଲିସ ପ୍ରଦ୍ୟୁମ୍ନଙ୍କ ମୋବାଇଲ୍‌ ଫୋନ୍‌ର ସର୍ଭେଲାନ୍ସ ନେଇଥିଲା। ସର୍ଭେଲାଇନ୍ସରେ ସଫା ସଫା ଭାବେ ଦେଖାଇଥିଲା ପ୍ରଦ୍ୟୁମ୍ନଙ୍କ ମୋବାଇଲ୍‌ ଫୋନ୍‌ ହସିନାଙ୍କ ମୋବାଇଲ୍‌ ଫୋନ୍‌ ପାଖରେ ଥିଲା। ଏହି ସମୟ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଇ ସାରିଥିଲେ। ଯେଉଁଥିରେ ମୃତ୍ୟୁର ସମୟ ଓ କାରଣ ଉଲ୍ଲେଖ ଥିଲା। ଶବ ବ୍ୟବଚ୍ଛେଦ ବେଳେ ମୃତ୍ୟୁ ସମୟ ଓ ସର୍ଭେଲାଇନ୍ସ ରିପୋର୍ଟ ମିଶି ଯାଇଥିଲା। ପୁଲିସ ସ୍ପଷ୍ଟ ହୋଇ ଯାଇଥିଲା ପ୍ରଦ୍ୟୁମ୍ନ ହିଁ ହତ୍ୟାକାରୀ। ପୁଲିସ ପ୍ରଦ୍ୟୁମ୍ନକୁ ଉଠାଇଥିଲା। ଏହା ଛଡ଼ା ପୁଲିସ ହସିନାଙ୍କ ଘରୁ ଜବତ କରିଥିବା ରୋଷେଇ ଛୁରି(ହତ୍ୟାରେ ବ୍ୟବହାର ହୋଇଥିଲା)କୁ ସାଇଣ୍ଟିଫିକ୍‌ ଟିମ୍‌ ଯାଞ୍ଚ କରିଥିଲା। ପୁଲିସ ପ୍ରଦ୍ୟୁମ୍ନର ଫିଙ୍ଗରପ୍ରିଣ୍ଟକୁ ଛୁରିରୁ ନେଇ ମିଳାଇବାବେଳେ ସବୁ ମିଶି ଯାଇଥିଲା। ଏହା ପରେ ପୁଲିସ ପଚରାଉଚରା ଆରମ୍ଭ କରିବା ପରେ ପ୍ରଦ୍ୟୁମ୍ନ ସବୁ ସତ ଓଗାଳି ପକାଇଥିଲା।

ଶବ ବ୍ୟବଚ୍ଛେଦ ନିକଟରେ ଉପସ୍ଥିତ ଥିଲା ପ୍ରଦ୍ୟୁମ୍ନ
ଇନ୍‌ଫୋସିଟି ଥାନା ଇନ୍ସପେକ୍ଟର ବନିତା ମହାରଣାଙ୍କ ଭାଷାରେ ଏହା ଏକ କୋଲ୍‌ଡ ବ୍ଲଡେଡ୍‌ ମର୍ଡର। ହତ୍ୟାକାରୀ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ଥିଲା ଅତ୍ୟନ୍ତ ଶାନ୍ତ ଓ ସ୍ଥିର। ତିଳେ ମାତ୍ର ବିଚଳିତ ହେଉ ନ ଥିଲା। ଘଟଣା ପରେ ହସିନାଙ୍କ ବାପା ଭରତ ଚରଣ ଦାସ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ପାଖରେ ପହଞ୍ଚିଥିଲା ପ୍ରଦ୍ୟୁମ୍ନ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଅନେକ ବୁଝାସୁଝା କରି ଶାନ୍ତ୍ୱନା ଦେଉଥିଲା। ଏପରିକି ହତ୍ୟାକାରୀ କିଏ ତାକୁ ତୁରନ୍ତ ଗିରଫ କରିବାକୁ ବାରମ୍ବାର ଇନ୍‌ଫୋସିଟି ପୁଲିସ ଉପରେ ଚାପ ମଧ୍ୟ ପ୍ରୟୋଗ କରୁଥିଲା।

ସମ୍ବନ୍ଧିତ ଖବର