ଟ୍ୟାଙ୍କର୍‌ ଚାଳକଙ୍କୁ ଆକ୍ରମଣ କରି ଲୁଟ୍‌ ଉଦ୍ୟମ

ଭୁବନେଶ୍ବର: ଜଣେ ଟ୍ୟାଙ୍କର୍‌ ଚାଳକଙ୍କୁ କଟୁରିରେ ଆକ୍ରମଣ କରି ଲୁଟ୍‌ ଉଦ୍ୟମ ଅଭିଯୋଗରେ ମ‌ଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ କଟୁରି ଜବତ କରିଛି। ସେ ହେଲା, ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ଜଗନ୍ନାଥ ମହାପାତ୍ର ଓରଫ ମିଥୁନ(୨୮)। ଏଠାରେ ପଳାସୁଣି ମୁଣ୍ଡାସାହି ବସ୍ତିରେ ରହୁଥିଲା। ପୁଲିସ ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ସୁପ୍ରଭାତ ସ୍ବାଇଁ ତେଲ ଟ୍ୟାଙ୍କର୍‌ ଧରି ପଳାସୁଣିରୁ ବାଣୀବିହାର ଯାଉଥିଲେ। ରସୁଲଗଡ଼ ଅତିକ୍ରମ କରୁଥିବା ସମୟରେ ମିଥୁନ ଓ ତାର ସହଯୋଗୀ ଅଚାନକ ଏକ ବାଇକ୍‌ରେ ଆସି ଟ୍ୟାଙ୍କର୍‌ ଆଗରେ ବାଇକ୍ ରଖି ଦେଇଥିଲେ। ସୁପ୍ରଭାତ ଗାଡ଼ି ଅଟକାଇବା ମାତ୍ରେ ମିଥୁନ ଓ ତାର ସହଯୋଗୀ ଗାଡ଼ିକୁ ଚଢ଼ି ଯାଇ କଟୁରି‌ରେ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ହାତ, ଜଙ୍ଘ‌ରେ କ୍ଷତ ହୋଇଥିଲା। ସୁପ୍ରଭାତ ଜୀବନ ବିକଳରେ ଗାଡ଼ିରୁ ବାହାରି ଦୌଡ଼ିବାରୁ ମିଥୁନ ଓ ତାର ସହଯୋଗୀ ତା’ର ପିଛା କରିଥିଲେ। ତେବେ ସୌଭାଗ୍ୟବଶତଃ ପାଟ୍ରୋଲିଂରତ ଏକ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ମିଥୁନକୁ କାବୁ କରିଥିଲା। କିନ୍ତୁ ଅନ୍ୟ ଅଭିଯୁକ୍ତଜଣଙ୍କ ସେଠାରୁ ଫେରାର୍‌ ହୋଇଯାଇଥିଲା। ମିଥୁନକୁ ଥାନାକୁ ଆଣି ପଚରାଉଚରା ପରେ ସେ ଲୁଟ୍‌ ଉଦ୍ୟମ କରୁଥିବା ମାନି ଯାଇଥିଲା। ଏନେଇ ଚାଳକଜଣଙ୍କ ବିଧିବଦ୍ଧ ଭାବେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରିଛି। ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର