ବିଳମ୍ବିତ ରାତିରେ ରାଜଧାନୀରେ ସିରିଜ୍‌ ଲୁଟ୍‌

ଭୁବନେଶ୍ୱର : ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟା । ପୁଲିସ କଣ୍ଟ୍ରୋଲ ରୁମ୍‌ ଭିଏଚ୍‌ଏଫ୍‌ରେ ସୂଚନା ଦେଲା ଯେ ଦୁଇ ଜଣ ଲୁଟେରା ଏକ କଳାରଙ୍ଗର ପଲ୍‌ସର୍‌ରେ ମେ ଫେୟାର ହୋଟେଲ ପାଖରେ ଛୁରି ଦେଖାଇ ଲୁଟପାଟ କରୁଛନ୍ତି। ସେମାନେ ଏବେ ଜୟଦେବବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ଆଡ଼କୁ ଯାଉଛନ୍ତି। ଆଲର୍ଟ… ଆଲର୍ଟ…ଚେକ୍‌ ଦେମ୍‌..। ଏଭଳି ସୂଚନା ପାଇବା ପରେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଥାନା ପୁଲିସର ପିସିଆର ଭ୍ୟାନ୍‌, ଥାନାଗାଡ଼ି ଓ ବାଇକ୍‌ ପାଟ୍ରୋଲିଂ ଟିମ୍‌ ଥାନା କର୍ମଚାରୀ ପ୍ରସ୍ତୁତ ହୋଇଗଲେ ଦୁଇ ଲୁଟେରାଙ୍କୁ ଧରିବାକୁ। କଳିଙ୍ଗ ହସ୍ପିଟାଲ ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ପୁଲିସ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ଲାଇଟ୍‌ ଲିଭାଇ ଅପେକ୍ଷା କଲେ। ଏହି ସମୟରେ ପୁଣି ଥରେ ପୁଲିସ କଣ୍ଟ୍ରୋଲ ରୁମରୁ ଖବର ଆସିଲା- ଲୁଟେରା ଦ୍ୱୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ଲୁଟ୍‌ କଲେ। ଲୁଟେରା ଦ୍ୱୟଙ୍କ ଏଭଳି ଲୁଟ୍‌ପାଟ୍‌ର ଖବର ଭିଏଚଏଫ୍‌ରୁ ଶୁଣିବା ପରେ ପୁଲିସ କର୍ମଚାରୀମାନେ ପୁଣିଥରେ ସତର୍କ ହୋଇଗଲେ। ଭାବିଲେ ସମ୍ଭବତଃ କଟକ ଲୁଟେରା ଗ୍ୟାଙ୍ଗ ଭୁବନେଶ୍ୱର ଆସି ଲୁଟପାଟ କରି ଏହି ରାସ୍ତାରେ କଟକ ଫେରୁଛନ୍ତି।

ଏତିକିବେଳେ ହଠାତ କିଟ୍‌ ଛକରେ ସେହି ଲୁଟେରା ଦ୍ୱୟ ପହଞ୍ଚିଗଲେ। ପୁଲିସ ଏମାନଙ୍କୁ ଦେଖି ଜାଣିଗଲା ଏହି ଦୁଇ ଜଣ ହିଁ ଲୁଟେରା। ପୁଲିସକୁ ଦେଖି ସେମାନେ କିଟ୍‌ କ୍ୟାମ୍ପସ ଆଡ଼କୁ ବାଇକ୍‌ ଦବାଇଲେ। ପଛେ ପଛେ ପିସିଆର ଭ୍ୟାନ୍‌ ଗୋଡ଼ାଇଲା। ପିସିଆର ଭ୍ୟାନ ଆସୁଥିବା ଦେଖି ମଧ୍ୟ ସେମାନଙ୍କ ମନରେ ଭୟ ନ ଥିଲା। ଇନ୍‌ଫୋସିସ ପାଖ ଡିଏଲ୍‌ଏଫ୍‌ କାର୍ଯ୍ୟାଳୟ ନିକଟରେ ଜଣେ ଯୁବକଙ୍କ ବେକକୁ କାଟି ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ପର୍ସ ଆଦି ଛଡ଼ାଇ ନେଲେ। ପୁଲିସ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଲୁଟେରାଙ୍କ ହୁଲିଆ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ତୁରନ୍ତ ପିଛା କରିଥିଲା। ସେମାନେ ପୁଣି ଥରେ ଡମଣା ଛକ ଆଡ଼େ ଗାଡ଼ି ବୁଲାଇଲେ। ପିଛା କରୁଥିବା ପିସିଆର ଭ୍ୟାନ୍‌ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲା କି ଲୁଟେରା ଦ୍ୱୟ ଡମଣା ଆଡ଼େ ଯାଉଛନ୍ତି। ଏ ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଭିଏଚ୍‌ଏଫ୍‌ରେ ନିର୍ଦେଶ ଗଲା, ତୁରନ୍ତ କଭର୍‌ କର। ଏହା ପରେ ନିଜେ ଚନ୍ଦ୍ରଶେଖରପୁର ଥାନା ଇନ୍ସପେକ୍ଟର ଦୀପକ ମିଶ୍ର ଡମଣା ଛକରେ ଗାଡ଼ିକୁ ରାସ୍ତା ଉପରେ ବ୍ଲକିଂ କରି ଠିଆ ହୋଇ ରହିଲେ। ଏହି ସମୟରେ ଲୁଟେରା ଦ୍ୱୟ ହଠାତ୍‌ ସେଠାରେ ପହଞ୍ଚିବାରୁ ପୁଲିସ ଜାଲରେ ପଡ଼ି ଯାଇଥିଲେ। ଆଉ ପଛକୁ ଫେରି ପାରି ନ ଥିଲେ। ଏହି ସମୟରେ ଇନ୍‌ଫୋସିଟି ଥାନା ପିସିଆର ଭ୍ୟାନ୍‌ ବି ପଛପଟୁ ପହଞ୍ଚି ଯାଇଥିଲା। ଲୁଟେରା ଦ୍ୱୟ ବାଇକ୍‌ ଫିଙ୍ଗି ଦୌଡିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ କର୍ମଚାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

ପୁଲିସ ଦୁହିଁଙ୍କୁ ଥାନାକୁ ନେଇ ଜେରା ଚଳାଇଛି। ସେମାନେ ଖଣ୍ଡଗିରି ଥାନା ଅଞ୍ଚଳରୁ ଲୁଟପାଟ କରି କରି କିଟ୍‌ ଛକ ଯାଏ ଆସୁଥିଲେ ବୋଲି ପୁଲିସ ଆଗରେ ମାନିଛନ୍ତି। ଦୁହେଁ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂଜନିୟରିଂ କଲେଜର ଛାତ୍ର। ଦୁହିଁଙ୍କ ଘର ବିହାରରେ। ପୁଲିସ ସେମାନଙ୍କ ନିକଟରୁ ଏକ ମାରଣାସ୍ତ୍ର, ବାଇକ୍‌, ଦୁଇଟି ମୋବାଇଲ୍‌ ଫୋନ୍‌, ପର୍ସ, ଟଙ୍କା ଓ ସୁନାଗହଣା ଆଦି ଜବତ କରିଛି। ଦୁହିଁଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି। ସେମାନେ ପୂର୍ବରୁ ଲୁଟପାଟରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ଖୋଳତାଡ଼ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର