ବିବାହିତା ମହିଳାଙ୍କ ସହ ପଳାଇଥିବା ବ୍ୟକ୍ତି ଓ ତାଙ୍କ ଦୁଇ ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼

ଇନ୍ଦୋର: ଜଣେ ବିବାହିତା ମହିଳାଙ୍କୁ ନେଇ ପଳାଇଥିବା ଅଭିଯୋଗରେ ମଧ୍ୟପ୍ରଦେଶରର ଧର ଠାରେ ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ଅନ୍ୟ ଦୁଇ ଜଣ ସମ୍ପର୍କୀୟା ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼ ଦିଆ ଯାଇଛି। ପୁଣି ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ନାବାଳିକ।

ଜାତୀୟସ୍ତରର ଏକ ସମ୍ବାଦ ସରବରାହ ସଂସ୍ଥା ଗୁରୁବାର ଦିନ ପୋଷ୍ଟ୍‍ କରିଥିବା ଫଟୋରେ ଦେଖାଯାଉଛି: ସର୍ବସାଧାରଣ ସ୍ଥାନରେ ଦିନ ଦି’ପହରରେ କିଛି ଲୋକ ଘେରିଥିବା ଗଛରେ ଅନ୍ୟୂନ ଦୁଇ ଜଣ ଲୋକ ବନ୍ଧାଯାଇଛନ୍ତି। କିନ୍ତୁ, କେହି ପୀଡ଼ିତ ଓ ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ଆଗଭର ହେଉ ନାହାନ୍ତି ବରଂ ଏହି କାଣ୍ଡର  ଭିଡିଓ ଉତ୍ତୋଳନ କରୁଛନ୍ତି। ପରେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଘଟଣାଟି ଇନ୍ଦୋର ଅର୍ଜୁନ କଲୋନୀରେ ଘଟିଥିବା ଜଣାପଡ଼ିଛି। ଆକ୍ରମଣକାରୀଙ୍କ ମଧ୍ୟରେ ଅଛନ୍ତି  ଘରଛାଡ଼ି ପଳାଇଥିବା ବିବାହିତା ମହିଳାଙ୍କ ସ୍ୱାମୀ। ଦୁଇ ଝିଅଙ୍କୁ ମାରଧର କରାଯିବା ସହ ଅସଦାଚରଣ ମଧ୍ୟ କରାଯାଇଛି। ଉଭୟ କୁଆଡ଼େ ଫେରାର ହେବା ଯୋଜନାରେ ସହାୟତା କରିଥିଲେ।

କିଛି ଦିନ ତଳେ ମୁକେଶଙ୍କ ପତ୍ନୀ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ। ସେ ଦହି ଥାନାରେ ନିରୁଦ୍ଦେଶ ଅଭିଯୋଗ କରିଥିଲେ। ଗୁରୁବାର ଦିନ କୌଣସି ପ୍ରକାର ସେ ତାଙ୍କ ପତ୍ନୀଙ୍କ ପ୍ରେମିକ ସହ ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇ ଆପୋସ ସମାଧାନ ଲାଗି ତାଙ୍କୁ ଅର୍ଜୁନ କଲୋନିକୁ ଡାକିଥିଲେ। ଦୁଇ ସମ୍ପର୍କୀୟା ଭଉଣୀଙ୍କୁ ଧରି ପ୍ରେମିକ ହାଜର ହୁଅନ୍ତେ ପ୍ରେମିକାର ସ୍ୱାମୀ ସେମାନଙ୍କୁ ଆକ୍ରମଣ କରିଥିଲେ।
ଘଟଣାରେ ଏକ ମାମଲା ରୁଜୁ କରାଯାଇଥିବା କଥା ସିଏସ୍‌ପି ସଞ୍ଜିବ ମୁଲେ କହିଛନ୍ତି।

ପାଞ୍ଚଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି, ଖୁବ୍‌ ଶୀଘ୍ର ବାକି ଲୋକଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର