ମୁଜାଫରନଗର: ଉତ୍ତରପ୍ରଦେଶର ଶମଲି ଜିଲ୍ଲାରେ ଦୁଇ ଭଉଣୀ ସେମାନଙ୍କ ସ୍ୱାମୀଙ୍କ ନାମରେ ଗୁରୁତର ଅଭିଯୋଗ କରିଛନ୍ତି। ସ୍ୱାମୀମାନେ ସେମାନଙ୍କୁ ବେଶ୍ୟାବୃତ୍ତି ଆପଣେଇବା ପାଇଁ ବାଧ୍ୟ କରୁଥିବା ଦୁଇ ଭଉଣୀ ଅଭିଯୋଗ କରିଛନ୍ତି। ଋଣ ଶୁଝିବା ପାଇଁ ସେମାନଙ୍କ ସ୍ୱାମୀ ସେମାନଙ୍କ ବନ୍ଧୁୁମାନଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଥିଲେ। ମାତ୍ର ଏପରି ଘୃଣ୍ୟ କାର୍ଯ୍ୟକୁ ଦୁଇ ଭଉଣୀ ବିରୋଧ କରିବାରୁ ସେମାନଙ୍କ ସ୍ୱାମୀ ଦୁଇ ଭଉଣୀଙ୍କୁ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଦୁଇ ଭଉଣୀଙ୍କ ବାପା ପୁଲିସର ଦ୍ୱାରସ୍ଥ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଶମଲି ଜିଲ୍ଲା ଅତିରିକ୍ତ ପୁଲିସ ଅଧିକ୍ଷକ ଶ୍ଳୋକ କୁମାର କହିଛନ୍ତି ଯେ ଶମ୍ଲିି ଜିଲ୍ଲାର ଦୁଇ ଭଉଣୀଙ୍କର ଗତ ୯ ମାସ ତଳେ ସଲମାନ ଅହମ୍ମଦ ଓ ଆଲିସାନ ଅହମ୍ମଦ ନାମକ ଦୁଇ ଭାଇଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ସଲମାନ ଓ ଆଲିସାନ ଜୁଆ ଖେଳି ସେମାନଙ୍କ ସମସ୍ତ ଟଙ୍କା ହରେଇବା ସହିତ ଋଣଗ୍ରସ୍ତ ହୋଇ ପଡ଼ିଥିଲେ। ତେଣୁ ଏହି ଋଣ ଶୁଝିବା ପାଇଁ ସେମାନେ ସେମାନଙ୍କ ପତ୍ନୀଙ୍କୁ ବ୍ୟବହାର କରିବାକୁ ଚାହିଁଥିଲେ ଆଉ ସେମାନଙ୍କ ପତ୍ନୀମାନଙ୍କୁ ଦେହବ୍ୟବସାୟ ପାଇଁ ବାଧ୍ୟ କରିଥିଲେ।
ଏ ନେଇ ଦୁଇଭଉଣୀଙ୍କ ବାପା କହିଛନ୍ତି ଯେ ସେ ଋଣ କରି ତାଙ୍କ ଦୁଇ ଝିଅଙ୍କର ବିବାହ ଦେଇଥିଲେ। ମାତ୍ର ସେମାନଙ୍କ ସ୍ୱାମୀମାନେ ଦୁଇଝିଅଙ୍କ ଅଳଙ୍କାର ନେଇ ଜୁଆରେ ହରାଇବା ପରେ ସେମାନଙ୍କୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରିଛନ୍ତି। ଏ ନେଇଏସିପି ଶ୍ଳୋକ କୁମାର କହିଛନ୍ତି ଜଣେ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ସେମାନଙ୍କ ସ୍ୱାମୀମାନେ କରଜ ଶୁଝିବାକୁ ସେମାନଙ୍କ ବନ୍ଧୁୁମାନଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରି ଟଙ୍କା ଯୋଗାଡ଼ କରିବାକୁ ବାଧ୍ୟ କରିଥିଲେ। ମାତ୍ର ସେମାନେ ଏଥିରେ ରାଜି ନ ହେବାରୁ ସେମାନଙ୍କୁ ମାଡ଼ ମାରି ସେମାନଙ୍କ ସ୍ୱାମୀମାନେ ତିନି ତଲକ ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଏସିପି ଶ୍ଳୋକ କୁମାର କହିଛନ୍ତି।