ଏକୁଟିଆ ହୋଇଯିବାର ସୁଯୋଗ ନେଇ ମେସ୍‌ କେୟାରଟେକର୍‌ ଶ୍ରମଜୀବୀ ଯୁବତୀଙ୍କୁ ଦୁଷ୍କର୍ମ କଲେ

ମେସ୍‌ କେୟାର ଟେକର ଗିରଫ

ଖଣ୍ଡଗିରି/ମେଣ୍ଢାଶାଳ: ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଡେରାସ ସି ଫୁଡ୍‌ ପାର୍କରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଯୁବତୀଙ୍କୁ ସେ ରହୁଥିବା ମେସ୍‌ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ମେସ୍‌ର କେୟାର ଟେକର୍‌ ହିଁ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଅଭିଯୋଗ ପରେ ପରେ ଚନ୍ଦକା ଥାନା ପୁଲିସ ମେଣ୍ଢାଶାଳ ଗାଁର ଅଭିଯୁକ୍ତ ପ୍ରମୋଦ ପ୍ରତାପସିଂହ (୪୭)କୁ ଗିରଫ କରିଛି। ଦୁଷ୍କର୍ମର ଶିକାର ହୋଇଥିବା କଟକ ଜିଲ୍ଲା ନିଆଳି ଅଞ୍ଚଳର ଯୁବତୀଙ୍କ ଡାକ୍ତରୀମାଇନା କରାଯାଇଛି ଓ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଧିକ ଛାନ୍‌ଭିନ କରୁଥିବା ସୂଚନା ଦେଇଛି। ସୋମବାର ଅଭିଯୁକ୍ତ ପ୍ରମୋଦକୁ କୋର୍ଟଚାଲାଣ କରାଯାଇଛି।

ସୂଚନାନୁସାରେ ଡେରାସ ସି ଫୁଡ୍‌ ପାର୍କରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଂ ଫାର୍ମରେ ଶ୍ରମିକ ଭାବେ କାମ କରୁଥିବା କିଛି ମହିଳା ଓ ଯୁବତୀ ଏକ ଘରୋଇ ମେସ୍‌ରେ ରହୁଛନ୍ତି। ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ମେଣ୍ଢାଶାଳ ବଜାର ନିକଟସ୍ଥ ଏହି ମେସ୍‌ରେ ଅଭିଯୁକ୍ତ ପ୍ରମୋଦ କେୟାର୍‌ ଟେକର୍‌ ଭାବେ କାମ କରନ୍ତି। ଶ୍ରମଜୀବୀ ଏହି ମହିଳାମାନେ ସିଫ୍ଟ ଅନୁସାରେ ଫାର୍ମକୁ କାମ କରିବାକୁ ଯାଆନ୍ତି। ଆଜି କିଛି ମହିଳା ସକାଳ ସିଫ୍ଟରେ କାମ କରିବାକୁ ଯାଇଥିଲେ ଓ ଆଉ କିଛି ମେସ୍‌ରେ ରହିଥିଲେ। ଅପରାହ୍ଣ ୨ଟାରେ ଏହି ମହିଳା ଶ୍ରମିକମାନେ ଫାର୍ମକୁ କାମ କରିବାକୁ ଯିବାର ଥିବାରୁ ସେମାନେ ପ୍ରାୟ ୧ଟା ବେଳେ ମେସ୍‌ରୁ ବାହାରି ଯାଇଥିଲେ। କିନ୍ତୁ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଜଣଙ୍କ କୌଣସି କାରଣରୁ ପଛକୁ ରହି ଯାଇଥିଲେ। ଯୁବତୀଜଣଙ୍କ ଏକୁଟିଆ ହୋଇଯିବାର ସୁଯୋଗରେ ଅଭିଯୁକ୍ତ ପ୍ରମୋଦ ତାଙ୍କୁ ସେଠାରେ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲା। ପରେ ଯୁବତୀଜଣଙ୍କ ସେଠାରୁ ଯାଇ ତାଙ୍କ ସହକର୍ମୀ ମହିଳାମାନଙ୍କୁ ଜଣାଇଥିଲେ ଓ ସେମାନଙ୍କ ସହଯୋଗରେ ସେ ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ କରିଥିଲେ।

ଏଭଳି ସଂଗିନ୍‌ ଅଭିଯୋଗ ପାଇବା ପରେ ମେଣ୍ଢାଶାଳ ଫାଣ୍ଡି ଅଧିକାରୀ ତୁରନ୍ତ ଚନ୍ଦକା ଥାନା ଆଇଆଇସିଙ୍କୁ ଜଣାଇଥିଲେ। ଖବର ପାଇ ଚନ୍ଦକା ଥାନା ଆଇଆଇସି ସୁନିଲ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମେସ୍‌ରେ ଚଢ଼ଉ କରି ଅଭିଯୁକ୍ତ ପ୍ରମୋଦକୁ ଧରି ଥାନାକୁ ନେଇଥିଲେ। ଏହା ପରେ ଯୁବତୀଙ୍କ ବୟାନ୍‌ ରେକର୍ଡ କରାଯିବା ସହ ମେଡିକାଲ ଯାଞ୍ଚ କରାଯାଇଥିଲା। ଜଣେ ମେସ୍‌ କେୟାରଟେକର୍‌ଙ୍କ ଏଭଳି ଅଭାବନୀୟ କାଣ୍ଡକୁ ନେଇ ମେଣ୍ଢାଶାଳ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗରିବ ମହିଳାମାନେ ପେଟପାଟଣା ପାଇଁ କାହିଁ କେତେ ଦୂରରୁ ଆସି ଯାହା ଭରସାରେ ମେସ୍‌ରେ ଭଡ଼ାରେ ରହୁଥିଲେ, ସେହି ବ୍ୟକ୍ତି ଏଭଳି ଅମାନବୀୟ କାଣ୍ଡ କରିଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର