ରାଜସ୍ଥାନ: ପୁଅକୁ ହତ୍ୟା କରିବାକୁ ସୁପାରି କିଲର୍‌କୁ ଲକ୍ଷେ ଟଙ୍କା ଦେଲେ ମାଆ

ଉଦୟପୁର: ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ଛୋଟି ସାଦ୍ରି ଗାଁ’ରେ ସମ୍ପତ୍ତି ବିବାଦ କାରଣରୁ ପୁଅକୁ ହତ୍ୟା କରାଇବା ଅଭିଯୋଗରେ ଜଣେ ମାଆ ଏବଂ ତାଙ୍କ ଜ୍ୱାଇଁଙ୍କ ସମେତ ଅନ୍ୟ ଚାରିଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି। ପୁଅକୁ ହତ୍ୟା କରାଇବା ପାଇଁ ମହିଳାଜଣକ ଜଣେ ସୁପାରି କିଲର୍‌ଙ୍କୁ ଲକ୍ଷେ ଟଙ୍କା ଦେଇଥିଲେ। ସେ ସୁପାରି କିଲର୍‌ ଜଣକ ହେଉଛନ୍ତି ଜଣେ ଢାବା ମାଲିକ। ସେଠାକୁ ତାଙ୍କ ପୁଅ ସବୁବେଳେ ଯାଉଥିଲା।
ଏପ୍ରିଲ୍‌ ୭ ତାରିଖ ଦିନ ଜାତୀୟ ରାଜପଥ ୧୧୩ର ନିମ୍ବହେଡ଼ା ରାସ୍ତାର ରତି ତଲାଇ ନିକଟରେ ଏକ ନିର୍ଜନିଆ ସ୍ଥାନରେ ପୁଲିସ ପୀଡ଼ିତଙ୍କ ଶବ ପାଇଥିଲା। ହତ୍ୟା ଅପରାଧରେ ପୁଲିସ ପୀଡ଼ିତଙ୍କ ମାଆ ପ୍ରେମଲତା ସୂଥାର, ଭିଣୋଇ କୃଷ୍ଣ ସୂଥାର, ମହାଦେବ ଧଡ଼କ ଏବଂ ଗଣପତ ସିଂହଙ୍କୁ ଗିରଫ କରିଛି।

ପୀଡ଼ିତ ୨୧ ବର୍ଷିୟ ମୋହିତ ମତିଗତି ଠିକ୍‌ ନ ଥିଲା। ସେଥିରେ ପୁଣି ସେ ଥିଲା ଗୋଟାଏ ନିଶାଖୋର। ବାପାଙ୍କର ମୃତ୍ୟୁ ପର ଠାରୁ ସେ ମାଆଙ୍କ ପ୍ରତି ନିର୍ମମ ଆଚରଣ କରୁଥିଲା। ପୁଅର ନିର୍ଯାତନା ସହି ନ ପାରି ମାଆ ଦେଢ଼ ମାସ ହେବ ବାମ୍ପୋରି ଗାଁ’ସ୍ଥିତ ଝିଅଜୋଇଁଙ୍କ ଘରେ ରହୁଥିଲେ।

ମାଆଙ୍କର ଥିଲା କିଛି ଜମି ଯାହାକୁ ସେ ଅନ୍ୟତମ ଅଭିଯୁକ୍ତ ମହାଦେବଙ୍କୁ ବିକ୍ରୟ କରିବାକୁ ଚାହୁଁଥିଲେ। କିନ୍ତୁ, ମୋହିତ ତାହା କରାଇ ଦେଉ ନ ଥିଲା। ତେଣୁ ମୋହିତକୁ ହତ୍ୟା କରିବା ପାଇଁ ମାଆ ଓ ଭିଣୋଇ ଷଡ଼ଯନ୍ତ୍ର କରିଥିଲେ ବୋଲି ପୁଲିସ କହିଛି।

ଏଥିପାଇଁ ସେମାନେ ମହାଦେବଙ୍କ ସହାୟତା ନେଇଥିଲେ। ସେ ଏଥିପାଇଁ ରାଣୀଖେଡ଼ା ଗାଅାଁରେ ଢାବା ଚଳାଇଥିବା ବାମ୍ବୋରି ଗାଁ’ର ଗଣପତ ସିଂହ ରାଜପୁତଙ୍କୁ କବଳିତ କରିଥିଲେ।

ଏପ୍ରିଲ୍‌ ୬ ତାରିଖ ଦିନ ମୋହିତ ଢାବାକୁ ଖାଇବାକୁ ଯାଇଥିବା ବେଳେ ଗଣପତ ଖାଇବାରେ ନିଦ ବଟିକା ମିଶାଇବା ସହ ତାଙ୍କୁ ଯବସୁରା (ବିୟର୍‌) ପିଇବାକୁ ଯାଚିଥିଲେ। ଖାଇବା ପରେ ମୋହିତ ବାଇକ୍‌ ଚଢ଼ି ଚାଲିଯାଇଥିଲେ। ତାଙ୍କ ସହ ଗଣପତଙ୍କ କର୍ମଚାରୀ ଅନୀଲ ନାୟକ ମଧ୍ୟ ଯାଇଥିଲେ। ଗଣପତ ସେମାନଙ୍କୁ ଅନୁସରଣ କରିଥିଲେ। ସିବନା ନିକଟରେ ଉଭୟ ଆଉ ଗୋଟେ ଯବସୁରା ପିଇବା ପରେ ମୋହିତ ଚେତା ହରାଇଥିଲେ। ଏହାର ସୁଯୋଗ ନେଇ ଖଣ୍ଡେ କପଡ଼ା ଦ୍ୱାରା ଗଣପତ ତାଙ୍କର ବେକକୁ କଷି ହତ୍ୟା କରିଥିଲେ। ହତ୍ୟା ପରେ ଉଭୟ ଢାବାକୁ ଫେରି ଯାଇ କିଛି ନ ଜାଣିବା ପରି ଆପଣା କାର୍ଯ୍ୟରେ ଲାଗିଥିଲେ।

କିନ୍ତୁ, ଗୋଟିଏ ଟୋଲ୍‌ ପ୍ଲାଜାରେ ଥିବା ସିସିଟିଭି ଫୁଟେଜ୍‌ ଖୁବ୍‌ ସହାୟକ ହୋଇଥିଲା ଏବଂ ଅପରାଧୀ ଗଣପତଙ୍କୁ ଧରି ପଚରା ଉଚୁରା କରିବାରୁ ସେ ସତ ସ୍ୱୀକାର କରିଥିଲେ।

ମାଆଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତିନି ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡ୍‌ରେ ନେଇଛି। ୫ମ ଅଭିଯୁକ୍ତ ଅନୀଲ କୁମାର ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର