କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ବାପା ଗିରଫ, କାର୍‌ ଧକାରେ ଜଣେ ମହିଳାଙ୍କ ମୃତ୍ୟୁ

ଥାନାରେ ଅଭିଯୋଗ, ତଦନ୍ତ ପାଇଁ ପୁଲିସ ପକ୍ଷରୁ ନୋଟିସ ଜାରି

ପୁନେ: କ୍ରିକେଟର ଅଜିଙ୍କ୍ୟ ରାହାଣେଙ୍କ ବାପା ମଧୁକର ବାବୁରାଓ ରାହାଣେଙ୍କ କାର ଧକ୍କାରେ ଜଣେ ମିହଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ମଧୁକରଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଛି। ଅବହେଳା ହୋଇ ଗାଡ଼ି ଚଳାଉଥିବା ସମୟରେ ବୃଦ୍ଧାଙ୍କ ଉପରକୁ ଗାଡ଼ି ଚଢ଼ି ଯାଇଥିଲା। ପୁନେ ଠାରୁ ୨୫୦ କିଲୋମିଟର ଦୂର କୋଲ୍ହାପୁର ଜିଲ୍ଲା କଗଲ ତଲୁକ୍‌ରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧାଙ୍କ ନାମ ଆଶାତାଇ ଦାଦାସାହେବ୍‌ କାମ୍ବ୍‌ଲେ(୬୭) ବୋଲି ଜଣାପଡ଼ିଛି। ସେ କଗଲରେ ଥିବା ଇଚଲକରଞ୍ଜିର ସାବିତ୍ରୀ ନଗରରେ ରହୁଥିଲେ ବୋଲି ପୁଲିସ କହିଛି।

ପୁଲିସ ଇନ୍‌ସ୍ପେକ୍ଟର ଉଦୁମ୍ବର ପାଟିଲ୍‌ଙ୍କ କହିବା ଅନୁଯାୟୀ, ମଧୁକର ରାହାଣେ ତାଙ୍କ ପରିବାର ସହ ମୁମ୍ବାଇରୁ କୋନକନ ଆଡ଼କୁ ଯାଉଥିବା ବେଳେ କଗଲ୍‌ ଠାରେ ଏହି ଦୁର୍ଘଟଣା ଘଟିଥିଲା । ମୃତ ବୃଦ୍ଧା ଜଣଙ୍କ କଗଲ୍‌କୁ ଏକ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ରାସ୍ତା ଅତିକ୍ରମ କରୁଥିବା ସମୟରେ ମଧୁକର ରାହାଣେଙ୍କ କାର୍‌ ତାଙ୍କୁ ଧକା ଦେଇଥିଲା । ଏହା ପରେ ତାଙ୍କୁ କୋଲ୍ହାପୁରରେ ଥିବା ସିଭିଲ୍‌ ହସ୍ପିଟାଲକୁ ନିଆଯିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ବୃଦ୍ଧାଙ୍କ ଝିଅ ଲକ୍ଷ୍ମୀ କାମ୍ବଲେ ଏନେଇ ଥାନାରେ ଅଭିଯୋଗ ଆଣିବା ପରେ ମଧୁକର ରାହାଣେଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ପାଇଁ ପୁଲିସ ପକ୍ଷରୁ ମଧୁକର ରାହାଣେଙ୍କୁ ନୋଟିସ ଦିଆଯାଇଛି।

ସମ୍ବନ୍ଧିତ ଖବର