୧୨୫ ଟଙ୍କାର ଲସି ବୋତଲ ଖୋଜିବା ପାଇଁ ପୁଲିସ ଖର୍ଚ୍ଚ କଲା ୪୧ହଜାର ଟଙ୍କା, ଏଭଳି କାମକୁ ନେଇ ପରିହାସର ପାତ୍ର ହେଲା ପୁଲିସ୍‌

ନୂଆଦିଲ୍ଲୀ : ତାଇଓ୍ଵାନରେ ପୁଲିସ ଏକ ଏଭଳି ଅଜବ କାମ କରି ଦେଖାଇଛି, ଯାହାକୁ ନେଇ ଏବେ ଲୋକମାନେ ଥଟ୍ଟା କରିବା ଆରମ୍ଭ କରିଛନ୍ତି । ପୁଲିସ ଏକ ଲସି ବୋତଲକୁ ଖୋଜିବା ପାଇଁ ଡ଼ିଏନ୍‌ଏ ଟେଷ୍ଟର ସାହାରା ନେଇଥିଲା । ଚୋରି ହୋଇଥିବା ବୋତଲର ମୂଲ୍ୟ ୧୨୫ ଟଙ୍କା ଥିବା ବେଳେ ପୁଲିସ ଏହାକୁ ଖୋଜିବା ପାଇଁ ୪୧ହଜାର ଟଙ୍କା ଖର୍ଚ୍ଚ କରିଥିଲା । ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ଜଣେ ଯୁବତୀ ପୁଲିସ ପାଖରେ ନିଜ ଲସି ବୋତଲ ଚୋରି ହେବା ଅଭିଯୋଗ ନେଇ ପହଞ୍ଚିଥିଲେ । ଯୁବତୀ ହଷ୍ଟେଲରେ ୫ ଜଣ ସାଥୀଙ୍କ ସହ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ହିଁ କେହି ତାଙ୍କ ଲସି ବୋତଲ ଚୋରି କରିଥିବା ପୁଲିସକୁ ଜଣାଇଥିଲେ । କିଏ ବୋତଲ ନେଇ ଲସି ପିଇଥିବା ଜାଣିବା ପାଇଁ ଯୁବତୀ ନିଜ ୫ଜଣ ସାଙ୍ଗଙ୍କୁ ପଚାରିବା ପରେ କେହି ନିଜ ଦୋଷ ମାନି ନଥିଲେ । ଯାହା ପରେ ଯୁବତୀ ଖାଲି ଲସି ବୋତଲ ନେଇ ପୁଲିସ ପାଖରେ ପହଞ୍ଚିଥିଲେ ।

Indiatimes.com

ବୋତଲ ଓଦା ଥିବାରୁ ସେଥିରୁ ଆଙ୍ଗଳି ଚିହ୍ନ ନେବା କଷ୍ଟକର ହୋଇଥିଲା । ଏଥିପାଇଁ ପୁଲିସ ଡ଼ିଏନ୍‌ଏ ଟେଷ୍ଟ କରିବା କଥା ଚିନ୍ତା କରିଥିଲା । ଏହା ପରେ ଡ଼ିଏନ୍‌ଏ ଟେଷ୍ଟ ପାଇଁ ଯୁବତୀ ଏବଂ ତାଙ୍କ ୫ଜଣ ସାଥୀଙ୍କ ରକ୍ତର ନମୁନା ନିଆ ଯାଇଥିଲା । ଏହି ପରୀକ୍ଷା ପାଇଁ ପୁଲିସକୁ ପ୍ରାୟ ୪୧ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ପରୀକ୍ଷା ପରେ ମଧ୍ୟ ଦୋଷୀ କିଏ ତାହା ସମ୍ନାକୁ ଆସି ପାରି ନଥିବାରୁ ଏହି ଖବରକୁ ନେଇ ଏବେ ସମସ୍ତେ ପୁଲିସ ଉପରେ ହସିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର