ପତ୍ନୀ ତିନି କୋଟି ଦାବି କରିବାରୁ ଅଭିନେତା କଲେ ଆତ୍ମହତ୍ୟା!

ହାଇଦ୍ରାବାଦ: ତେଲୁଗୁ ସିନେମା ଜଗତର ଲୋକପ୍ରିୟ ହାସ୍ୟାଭିନେତା ବିଜୟ ସାଇ ଗତକାଲି ହାଇଦ୍ରାବାଦ୍‌ରେ ଥିବା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ଫ୍ୟାନ୍‌ରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ବିଜୟ ଏକ ଭିଡ଼ିଓ କ୍ଲିପ୍‌ ଜରିଆରେ ଆତ୍ମହତ୍ୟା ପାଇଁ ତାଙ୍କର ପତ୍ନୀ ଓ ଅନ୍ୟ ଦୁଇଜଣଙ୍କୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,ସେମାନେ ତାଙ୍କଠାରୁ ୩ କୋଟି ଟଙ୍କା ଦାବି କରୁଥିଲେ।

ପରିବାରର ସଦସ୍ୟମାନଙ୍କ କହିବା ଅୁନଯାୟୀ ବିଜୟଙ୍କ ସ୍ତ୍ରୀ ବନିତା ତାଙ୍କ ଠାରୁ ସମସ୍ତ ମୂଲ୍ୟବାନ ସାମଗ୍ରୀ ନେଇ ଯାଇ ପ୍ରାୟ ଦୁଇ ବର୍ଷ ହେବ ବାପ ଘରେ ରହୁଥିବା ହେତୁ ସେ ମାନସିକ ଚାପରେ ଥିଲେ। ବିଜୟ ଓ ବନିତାଙ୍କ ଛାଡ଼ପତ୍ର ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ରହିଛି।
ହାସ୍ୟାଭିନେତା ବିଜୟ ସକାଳ ପ୍ରାୟ ସାଢ଼େ ନଅଟା ବେଳେ ନିଜର ବେଡ଼୍‍ରୁମ୍‌କୁ ଭିତରପଟୁ କବାଟ ବନ୍ଦ୍‌ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁପୂର୍ବରୁ ସେ ନିଜର ହ୍ଵାଟସ୍‌ଅପ୍‌ ଗ୍ରୁପ୍‌ରେ ମେସେଜ୍‌ ପଠାଇଥିଲେ ଯେ,‘ବିଜୟ ନୋ ମୋର୍‌’।

ବିଜୟଙ୍କ କାର୍‌କୁ ତାଙ୍କର ପତ୍ନୀ ବନିତା ତିନିଦିନ ପୂର୍ବେ ତାଙ୍କ ଫ୍ଲାଟ୍‌ ଆଗରୁ ନେଇଯାଇଥିବା ନେଇ ସେ ଜୁବିଲି ହିଲ୍‌ ପୁଲିସ ଥାନାରେ ଅଭିଯୋଗ କରିଥିଲେ।
ଅପରପକ୍ଷରେ ବନିତା ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ,ସେ କେବେ ହେଲେ ବିଜୟଙ୍କୁ ତିନି କୋଟି ଦାବି କରି ନଥିଲେ। ବିଜୟଙ୍କର ଜଣେ ମହିଳାଙ୍କ ସହିତ ଆଫେଆର୍‌ ରହିଥିଲା।ବିଜୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ପାରିବାରିକ ସଂପତ୍ତି ବିବାଦ ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ବନିତା କହିଛନ୍ତି।
ମୁଭି କଳାକାର ସଂଘ(ଏମ୍‌ଏଏ) ସଭାପତି ଶିବାଜୀ ରାଜ ବିଜୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର