ମୁଜାଫରପୁର ସେକ୍ସ ସ୍କାଣ୍ଡାଲ୍‌: ନାବାଳିକା ଅନ୍ତେବାସୀଙ୍କୁ ରାତିରେ ଉଲଗ୍ନ ହୋଇ ଶୋଇବାକୁ ବାଧ୍ୟ କରୁଥିଲେ ଶିକ୍ଷୟିତ୍ରୀ

ପାଟନା: ବିହାର ମୁଜାଫରପୁରସ୍ଥିତ ଏକ ଆଶ୍ରୟ ଗୃହରେ ୪୦ ଜଣ ନାବାଳିକାଙ୍କୁ କରାଯାଇଥିବା ଯୌନ ଶୋଷଣ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏବେ ସେ ସଂପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ଏହି ଆଶ୍ରୟ ଗୃହରେ ରହୁଥିବା ନାବାଳିକାମାନେ ବର୍ଷ ବର୍ଷ ଧରି ଯୌନ ନିର୍ଯାତନାର ଶିକାର ହୋଇ ଆସୁଥିଲେ ବୋଲି ଜଣାପଡ଼ିଛି।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଆଶ୍ରୟ ଗୃହରେ ରହୁଥିବା କିରଣ ନାମ୍ନୀ ଜଣେ ଶିକ୍ଷୟତ୍ରୀ ଅନ୍ତେବାସୀ ନାବାଳିକାମାନଙ୍କୁ ରାତିରେ ଉଲଗ୍ନ ହୋଇ ଶୋଇବାକୁ ବାଧ୍ୟ କରୁଥିଲେ। କେବଳ ସେତିକି ନୁହେଁ, ଅନ୍ତେବାସୀ ନାବାଳିକାମାନେ ଅଭିଯୋଗ କରିଛନ୍ତି କି ଶିକ୍ଷୟିତ୍ରୀ ଜଣକ ନିଜେ ଉଲଗ୍ନ ହୋଇ ୪/୫ ଜଣ ଛାତ୍ରୀଙ୍କ ଗହଣରେ ଶୋଉଥିଲେ।

Representational Image

ମୁଜାଫରପୁରରେ ଥିବା ଏହି ଆଶ୍ରୟ କେନ୍ଦ୍ରରେ ଅନ୍ତେବାସୀଙ୍କ ଉପରେ ଅକଥନୀୟ ଯୌନ ନିର୍ଯାତନା ଚାଲିଥିବା କଥା ମାସକ ତଳେ ପର୍ଦାଫାସ୍‌ ହୋଇଥିଲା। ମୁମ୍ବାଇର ଏକ ସାମାଜିକ ବିଜ୍ଞାନ ଅନୁଷ୍ଠାନ ଅଡିଟ୍‌ ସମୟରେ ଏହି ଏନ୍‌ଜିଓ ପରିଚାଳିତ ଆଶ୍ରୟ ଗୃହରେ ଚାଲିଥିବା କଳାକାରବାର ଉପରୁ ପର୍ଦ୍ଦା ହଟାଇଥିଲା । ଏହି ଘଟଣା ପରେ ଆଶ୍ରୟ କେନ୍ଦ୍ର ପରିଚାଳନା ସହ ଜଡ଼ିତ ୧୦ ଜଣ କର୍ମଚାରୀଙ୍କୁ ପୁୂଲିସ୍‌ ଗିରଫ କରିଛି।

ବିହାରର ବିରୋଧୀ ଦଳ ନେତା ତେଜେଶ୍ୱରୀ ପ୍ରସାଦ ଯାଦବ ଅଭିଯୋଗ କରିଛନ୍ତି ଯେ ଏହି ଆଶ୍ରୟ କେନ୍ଦ୍ରର ଅନ୍ତେବାସୀ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯିବା ସହ କେତେକଙ୍କର ବଳପୂର୍ବକ ଗର୍ଭପାତ ମଧ୍ୟ କରାଯାଇଛି। ରାଜନେତା ଓ ସରକାରୀ ଅଧିକାରୀଙ୍କ ଦ୍ୱାରା ସେମାନେ ଯୌନ ଶୋଷଣର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର