ହାଇଦ୍ରାବାଦ : ୮ ମହଲାରୁ ଡ଼େଇଁ ଦୁଇ ନାବାଳିକାଙ୍କର ଆତ୍ମହତ୍ୟା, ପରୀକ୍ଷା ଚାପ ସନ୍ଦେହ
ହାଇଦ୍ରାବାଦ : ଗୁରୁବାର ରାତିରେ ହାଇଦ୍ରାବାଦର ସରୁରନଗରରେ ଥିବା ଏକ ଆପାର୍ଟମେଣ୍ଟର ୮ମ ମହଲାରୁ ଡ଼େଇଁ ଦୁଇ ନାବାଳିକା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ନାମ ଶ୍ରାବଣୀ କାଲେ ଏବଂ ଭାର୍ଗଭୀ ପଟେଲ। ସେ ଦୁହେଁ ଅକ୍ଷରା ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ । ୧୫ ବର୍ଷର ଦୁଇ ଛାତ୍ରୀ ବର୍ତ୍ତମାନ ୧୦ ସିବିଏସଇ ପରୀକ୍ଷା ଦେଉଥିଲେ । ଆତ୍ମହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ ନ ଥିବା ବେଳେ ପରୀକ୍ଷାରେ ଭଲ କରିବା ଚାପରେ ଦୁହେଁ ବୋଧହୁଏ ଏପରି ନିର୍ଣ୍ଣୟ ନେଇଥିବା ସନ୍ଦେହ କରୁଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ଆରସିଆଇ ବୈଜ୍ଞାନିକ ଥିବା ନାଗେନ୍ଦ୍ର କାଲେଙ୍କ ଝିଅ ଶ୍ରାବଣୀ ହୋଇଥିବା ବେଳେ କନଷ୍ଟ୍ରକସନ ବ୍ୟବସାୟୀ ଶନ୍ତି କୁମାର ପଟେଲଙ୍କ ଝିଅ ଭାର୍ଗବୀ । ଦୁଇ ଜଣ ପରୀକ୍ଷା ପାଇଁ ସନ୍ଧ୍ୟା ସମୟରେ ମିଶି ସେହି ଆପାର୍ଟମେଣ୍ଟରେ ପାଠ ପଢ଼ୁଥିଲେ ।
“ପ୍ରକୃତ ଘଟଣାଟି କ’ଣ କିଛି ଜଣାପଡ଼ିନାହିଁ । କାରଣ ସେ ଦୁହେଁ ପାଠ ପଢ଼ିବା ସମୟରେ ଘରେ କେହି ମଧ୍ୟ ଉପସ୍ଥିତ ନ ଥିଲେ । ପ୍ରାୟ ସଂଧ୍ୟା ୬.୩୦ ସମୟରେ ଦୁଇ ନାବାଳିକା ଘରର ବାଲକୋନିରୁ ଡ଼େଇଁ ପଡ଼ିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା । ଆପାର୍ଟମେଣ୍ଟର ଏକ କୋଠରୀର ଡ଼ଷ୍ଟବିନରୁ ଶ୍ରାବଣୀଙ୍କ ଲେଖା ଚିଠି ମିଳିଥିଲା ଯେଉଁଥିରେ ସେ ମା’ବାପାଙ୍କୁ ଭୁଲ ମାଗିବା ସହ ତାଙ୍କ ବଡ଼ଭାଇ ତେଜାଙ୍କୁ ମନେ ପକାଇବେ ବୋଲି ଲେଖିଛନ୍ତି । ସେହିଭଳି ଭାର୍ଗବୀଙ୍କ ଦ୍ୱାରା ଲେଖାଯାଇଥିବା କିଛି ଚିଠି ଘଟଣାସ୍ଥଳରୁ ମିଳିନାହିଁ ବୋଲି କହିଛନ୍ତି ଏଲ୍ବି ନଗରର ସବ-ଇନ୍ସସ୍ପେକ୍ଟର ଭେମୁଲାକୁଣ୍ଡା ମଧୁ ।
ପ୍ରଥମ ପର୍ଯ୍ୟୟର ତଦନ୍ତରୁ ଜଣାପଡ଼ିଛି, ଦୁଇ ନାବାଳଳିକା ବହୁତ ବୁଦ୍ଧିମାନ ଥିଲେ । ଏଣୁ ବୋଧହୁଏ ପରୀକ୍ଷାରେ ଭଲ କରିବା ଚାପରେ ଦୁହେଁ ଆତ୍ମହତ୍ୟା କରିବାର ନିର୍ଣ୍ଣୟ ନେଇଥିବେ ବୋଲି ପୁଲିସ ସନ୍ଦେହ କରୁଛି । ଦୁହିଁଙ୍କର ମରଶରୀରକୁ ପୋଷ୍ଟମର୍ଟମ ପାଇଁ ଓସମାନିଆ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।