ବିଚ୍‌ ରାସ୍ତାରେ ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର

କାର୍‌ ସାଇଡ୍‌ କରିବାରେ କିଛି ସେକେଣ୍ଡ୍‌ ବିଳମ୍ବ କଲେ ବୋଲି...

ଭୁବନେଶ୍ୱର : ରାଜଧାନୀରେ ବରିଷ୍ଠ ନାଗରିକମାନେ କେତେ ଅସୁରକ୍ଷିତ ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିିଥିଲା। ଜଣେ ବୟସ୍କ ବ୍ୟକ୍ତି ରାସ୍ତା କଡ଼ରେ ଥିବା ଏକ ଚା’ ଦୋକାନ ସାମ୍ନାରେ ଏକ ବୁଲେଟ୍‌ ଆଗରେ ଆଣି କାର୍‌ଟି କିଛି ସେକେଣ୍ଡ୍‌ ଠିଆ କରିଦେଲେ ବୋଲି ତାଙ୍କୁ ବହେ ହଟହଟା ହେବାକୁ ପଡ଼ିଥିଲା। ତାଙ୍କ ଉପରେ ବୁଲେଟ୍‌ ଚାଳକଙ୍କ ରାଗ ଏତେ ଅଧିକ ହୋଇଯାଇଥିଲା ଯେ ଦୀର୍ଘ ୨୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କୁ ଲୋକମାନଙ୍କ ସାମ୍ନାରେ ଅଶ୍ରାବ୍ୟ ଭାଷାର ଗାଲିଗୁଲଜ ସହିବାକୁ ପଡ଼ିଥିଲା। ଏହା ପରେ ବି ବାଇକ୍‌ ଚାଳକଙ୍କ ରାଗ ଶାନ୍ତ ହୋଇନଥିଲା। ଯିବା ପୂର୍ବରୁ ସେ କାର୍‌ର ସାଇଡ୍‌ ମିରର୍‌ଟିକୁ ଭାଙ୍ଗି ଦେଇଥିଲେ। ଗାଡ଼ିକୁ ଚାରି ପାଞ୍ଚ ଗୋଇଠା ମାରିବା ପରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ସେଠାରୁ ଚାଲିଯାଇଥିଲେ।

ଏହି ଘଟଣା ଆଜି ସନ୍ଧ୍ୟା ସମୟରେ ସୈନିକ ସ୍କୁଲଠାରୁ ଆଚାର୍ଯ୍ୟବିହାର ଆଡ଼କୁ ଆସିଥିବା ରାସ୍ତାର ୧୦୦ ମିଟର ଦୂରରେ ପରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଓମ୍‌ଫେଡ୍‌ ଷ୍ଟଲ୍‌ ପାଖରେ ଘଟିଥିଲା। ଜଣେ ବୟସ୍କ ବ୍ୟକ୍ତି ନିଜର ସେଭ୍ରୋଲେ ସ୍ପାର୍କ (ଲାଲ୍‌ ରଙ୍ଗ)ରେ ଆସି ଚା’ ପିଇବା ପାଇଁ କାର୍‌ଟିକୁ ରାସ୍ତା ପାର୍ଶ୍ୱରେ ଅଟକାଇଥିଲେ। ତାଙ୍କର ଭୁଲ ମାତ୍ର ଏତିକି ଥିଲା ଯେ ସେ ଯେଉଁ ସ୍ଥାନରେ ନିଜ କାର୍‌କୁ ଅଟକାଇଥିଲେ ତା’ ପଛରେ ଏକ ବୁଲେଟ୍‌ ଥିଲା। ଧୂସରର ରଙ୍ଗର ବୁଲେଟ୍‌ରେ ଦୁଇ ଜଣ ଯୁବକ ବସି ହର୍ଣ୍ଣ ମାରିଥିଲେ। ତାଙ୍କ ମଧ୍ୟରୁ ପଛରେ ବସିଥିବା ଯୁବକ ଜଣକ କାର୍‌ରେ ଥିବା ବ୍ୟକ୍ତିଙ୍କୁ ଅତି ଅଭଦ୍ର ଭାବେ ଗାଡ଼ି ସାଇଡ୍‌ କରିବାକୁ କହିଥିଲେ। ଏଭଳି କାହିଁକି ବ୍ୟବହାର କରୁଛ ବୋଲି କାର୍‌ ଚାଳକ ଜଣକ ତାଙ୍କୁ ପଚାରିବା ପରେ ସବୁ କିଛି ବିଗିଡ଼ି ଯାଇଥିଲା। ଅଳ୍ପ କିଛି ସେକେଣ୍ଡ୍‌ ଭିତରେ ସେ କାର୍‌ଟିକୁ ଆଉ ଟିକେ ଆଗକୁ ନେଇ ସାଇଡ୍‌ କରିଥିଲେ। ମାତ୍ର ସେତେବେଳକୁ ବୁଲେଟ୍‌ ଚାଳକ ଏବଂ ତାଙ୍କ ବନ୍ଧୁଙ୍କ ରାଗ ସୀମା ଟପିସାରିଥିଲା। ଚା’ ଦୋକାନ ପାଖକୁ ଆସିଥିବା ବ୍ୟକ୍ତି ଜଣଙ୍କୁ ଦୁହେଁ ମିଶି ଗାଳିଗୁଲଜ କରିଥିଲେ।

ଏସବୁ ଘଟଣାକୁ ଚା’ ଦୋକାନ ଏବଂ ଏହାର ଆଖପାଖରେ ଥିବା ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଆଉ କିଛି କରିପାରୁନଥିଲେ। କାରଣ ବୁଲେଟ୍‌ ଚାଳକ ଏବଂ ତାଙ୍କ ବନ୍ଧୁଙ୍କ ବ୍ୟବହାର ଏତେ କଦର୍ଯ୍ୟ ଥିଲା ଯେ ତାଙ୍କୁ ସାମ୍ନା କରିବାକୁ କେହି ସାହସ ଜୁଟାଇ ପାରୁନଥିଲେ। ପ୍ରାୟ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ କାର୍‌ ଚାଳକଙ୍କୁ ଅପମାନିତ କରିବା ଏବଂ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ପରେ ବୁଲେଟ୍‌ ଚାଳକ ଯିବାକୁ ବାହାରିଥିଲେ। ଯିବା ବେଳେକୁ ସେମାନେ କାର୍‌ର ଡାହାଣ ପାର୍ଶ୍ୱ ମିରର୍‌ଟିକୁ ଭାଙ୍ଗି ଦେଇଥିଲେ। କାର୍‌ଟିକୁ ଚାରି ପାଞ୍ଚ ଗୋଇଠା ମାରିଥିଲେ। ଏ ସବୁକୁ ରୋକିବା ପାଇଁ କିନ୍ତୁ କାର୍‌ ଚାଳକ ଜଣକ ସାହସ ଜୁଟାଇ ପାରିନଥିଲେ। ଚା’ ଦୋକାନ ସାମ୍ନାରେ ଠିଆ ହୋଇ ଥରୁଥିଲେ। କିଛି ସେକେଣ୍ଡ ଭିତରେ ବୁଲେଟ୍‌ଟି ଆଚାର୍ଯ୍ୟ ବିହାର ଆଡ଼େ ଦ୍ରୁତ ଗତିରେ ପଳାଇଥିଲା।

ସମ୍ବନ୍ଧିତ ଖବର