କାମ କରିବାକୁ ଯାଇ ୪ ନିଖୋଜ, ଚିନ୍ତାରେ ପରିବାର

ଦେବଗଡ: ବଣିଆକିଲିଣ୍ଡା ପଂଚାୟତ ପୋଡାପଡା ଗ୍ରାମର ସୁରେଶ ମୁଣ୍ଡା(୫୫) ଗତ ୧୦ ତାରିଖରେ ତାମିଲନାଡୁର ମଦୁରାଇକୁ ଯାଇ ନିଖୋଜ ଥିବା ବେଳେ ଦେବଗଡ଼ ପୌରାଚଂଳରେ ଆଉ ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପତ୍ରାପାଲି ସାହି ଓ ନୀଳବେଣୀ ସାହିର ୧୦ ଜଣ ତାମିଲନାଡୁର ମଦୁରାଇକୁ କାମ କରିବା ପାଇଁ ଯାଇଥିଲେ। ୬ ଜଣ ବହୁ କଷ୍ଟରେ ବୁଧବାର ଦେବଗଡ଼ ପଂହଚିଥିବା ବେଳେ ଆଉ ସାଙ୍ଗରେ ଯାଇଥିବା ୪ ଜଣଙ୍କ କିଛି ଖୋଜଖବର ମିଳୁନାହିଁ। ସେମାନଙ୍କ ପରିବାର ବର୍ଗ ଏବେ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି।
ସହରର ଜଣେ ଦଲାଲ ତାମିଲନାଡୁ ରାଜ୍ୟର ମଦୁରାଇରେ ଏକ ଟାୟାର ଦୋକାନରେ କାମ କରିବା ସହିତ ମାସକୁ ୧୨ ହଜାର ଲେଖାଏଁ ପାରିଶ୍ରମିକ ମିଳିବ ବୋଲି କହି ପ୍ରଲୋଭନ ଦେଖାଇଥିଲା। ପତ୍ରାପାଲି ଏବଂ ନୀଳବେଣୀ ସାହିର ଲୁଲୁପାତ୍ର (୨୫), ପ୍ରଶାନ୍ତ କୁଲା (୨୫), ଧନୁରାମ କୁଲା (୨୩), ବୁଲୁ ପାତ୍ର (୩୦), ଶଙ୍କର ମୁଣ୍ଡା (୧୮), ପୁଟୁମୁଣ୍ଡା (୫୦), ନାଥ ମୁଣ୍ଡା(୫୦), ରୁଦନ ପାତ୍ର (୪୦), ପୀତବାସ ମୁଣ୍ଡା (୫୫), ଜଗଦୀଶ ଲୁହା (୨୬)ଙ୍କୁ ନେଇ ଯାଇ ଉକ୍ତ ଟାୟାର କଂପାନିରେ କାମ କରାଇବା ପରିବର୍ତ୍ତେ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଉଥିଲା। ଠିକ ସମୟରେ ମଧ୍ୟ ଖାଇବା ପାଇଁ ସେମାନଙ୍କୁ ଦିଆଯାଉ ନଥିଲା ବୋଲି ଫେରି ଆସିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଲୁଲୁ ପାତ୍ର (୨୫), ପ୍ରଶାନ୍ତ କୁଲା (୨୫), ଧନୁରାମ କୁଲା (୨୩), ବୁଲୁ ପାତ୍ର (୩୦), ଶଙ୍କର ମୁଣ୍ଡା (୧୮), ପୁଟୁ ମୁଣ୍ଡା (୫୦) ଏବେ ଫେରି ଆସିଥିବା ବେଳେ ନାଥ ମୁଣ୍ଡା(୫୦), ରୁଦନ ପାତ୍ର (୪୦), ପୀତବାସ ମୂଣ୍ଡା (୫୫), ଜଗଦୀଶ ଲୁହା (୨୬)ଙ୍କ ପରିବାର ବର୍ଗ ନାନା ଆଶଙ୍କାରେ ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ପ୍ରଶାସନ ସହଯୋଗ କରିବାକୁ ନିବେଦନ କରାଯାଇଛି। ସାଙ୍ଗରେ ଯାଇଥିବା ଲୋକମାନେ ମଧ୍ୟ ତାଙ୍କ ସଠିକ ତଥ୍ୟ ଦେଇପାରୁନାହାନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର