ଭରତ ହତ୍ୟା ମାମଲା; ମୁଖ୍ୟ ଅଭିିଯୁକ୍ତ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଥାନା ଗାଲୁକାଟେଣି ଗାଁର ଭରତ ଦେହୁରୀ(୪୫) ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବୁନା ଓରଫ ସୁଶାନ୍ତ ସାହୁଙ୍କୁ ପୁଲିସ ଆଜି ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ୨୯ ତାରିଖ ରାତି ପ୍ରାୟ ୮ଟାବେଳେ ଭରତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ପରେ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧ ତାରିଖ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭରତଙ୍କର ମୃତ୍ୟୁ ଘଟିଛି।

ପୂର୍ବ ଶତ୍ରୁତା ଯୋଗୁଁ ଗାଁର ଅପର୍ତି ସାହୁ, ନିରାକାର ସାହୁ, ସୁଶାନ୍ତ ସାହୁ, ସରୋଜ ସାହୁ ଓ ହିମାଂଶୁ ସାହୁ ଭରତଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ ବୋଲି ଭରତଙ୍କ ଭିଣୋଇ ପ୍ରଫୁଲ୍ଲ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଗତ ୨ ତାରିଖରେ ଗ୍ରାମବାସୀ ଥାନା ସମ୍ମୁଖରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ ଏ ସଂପର୍କରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ସାହୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଜ୍ଞାନରଂଜନ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର