ସେଣ୍ଟ୍ରାଲ ଓ୍ଵାର୍କସପ୍‌ ଡକାୟତି:କେଉଁଠୁ ମିଳିଲା ଗହଣା?

ପୁଲିସ ଉଦାସୀନତାରୁ ଦ୍ୱିତୀୟ ଡକାୟତି ଘଟିଲା!

ତାଳଚେର: ସାଉଥବଲଣ୍ଡା କଲୋନିରେ ସଶସ୍ତ୍ର ଡକାୟତିର ୪୪ ଦିନ ପରେ ସମାନ ଅପରାଧୀଙ୍କ ଦ୍ୱାରା ପୁଣି ସେଣ୍ଟ୍ରାଲ ଓ୍ଵାର୍କସପ୍‌ କଲୋନିରେ ବଡ଼ଧରଣର ଡକାୟତି ଘଟିଲା। ପ୍ରଥମ ଘଟଣା ପରେ ଅପରାଧୀଙ୍କୁ ଖୋଲା ଛାଡି ଦେବାରୁ ସେମାନେ ପୁଣି ଏକ ଡକାୟତି ଘଟାଇବାରେ ସକ୍ଷମ ହେଲେ ବୋଲି ଖଣି ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଦୁଇଟି ଯାକ ଡକାୟତିରେ ବିକ୍ରମପୁର ଥାନା ଗୋବରା ଗ୍ରାମର ସିପୁନ ପ୍ରଧାନ ଓ ସମୀର ବାରିକ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି।

ଏହି ଦୁଇ ଅପରାଧୀ ଦୁଇଟିଯାକ ଡକାୟତିରେ ଭିନ୍ନ ଭିନ୍ନ ଲୁଟେରାଙ୍କୁ ସାମିଲ କରି ଅପରାଧ ଘଟାଇଥିଲେ। ଏପରିକି ଅଗଷ୍ଟ ୧୨ ତାରିଖରେ ନାଲକୋ କଲୋନି ବି ୭/ ୯୭୧ କ୍ୱାର୍ଟର୍ସରୁ ଲୁଟ୍‌ ଘଟଣାରେ ଏହି ଅପରାଧୀମାନେ ସାମିଲ ଥିବା ନାଲକୋ ଥାନା ଅଧିକାରୀ ଗୀତାଞ୍ଜଳି ସାହୁ କହିଛନ୍ତି। ତେବେ ଅପରାଧୀମାନେ ସ୍ଥାନୀୟ ଅଂଚଳର ଓ ପୂର୍ବରୁ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିଲା। ଏହା ସତ୍ତ୍ୱେ କାହିଁକି ଅପରାଧୀଙ୍କୁ ପୁଲିସ ଖୋଲା ଛାଡିଥିଲା ତାହା ଏବେ ଆଲୋଚ୍ୟ ବିଷୟ ହୋଇଛି। ସିସିଟିଭି ଫୁଟେଜକୁ ଆଧାର କରି ଅପରାଧୀଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିବା କଥା କୁହାଯାଉଥିବା ବେଳେ ସିସିଟିଭି ଫୁଟେଜ୍‌ ପାଇ ମଧ୍ୟ କାହିଁକି ପୁଲିସ ଚୁପ୍‌ ବସିଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।
ସେଣ୍ଟ୍ରାଲ ଓ୍ଵାର୍କସପ୍‌ କଲୋନିରେ ସଂଘଟିତ ଡକାୟତି ଘଟଣା ନେଇ ପ୍ରଥମେ ଗଣମାଧ୍ୟମକୁ ଘଟଣା ସଂପର୍କରେ ଲୁଚାଇବା ପାଇଁ ପୁଲିସ ପ୍ରୟାସ କରିଥିଲା। ତେବେ ଗଣମାଧ୍ୟମରେ ଏହା ପ୍ରସାରିତ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶ୍ରମିକ ସଂଘ ଦ୍ୱାରା ଗଠିତ ସମନ୍ଵିତ ସମିତି ପ୍ରତିବାଦ ଶୋଭାଯାତ୍ରା ସାଙ୍ଗକୁ ଏସପିଙ୍କୁ ଭେଟି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଆଉ ଏକ ସୂଚନା ଅନୁଯାୟୀ ଡକାୟତିର ଶିକାର ହୋଇଥିବା ଗୃହ ସ୍ୱାମୀଙ୍କର ପୁଲିସର ଉପର ମହଲରେ କୁଆଡ଼େ ହାତ ରହିଛି। ସେଠାକାର ଚାପ ସାଙ୍ଗକୁ ଅଂଚଳବାସୀଙ୍କ ଆନ୍ଦୋଳନ ଯୋଗୁ ଚୁପଚାପ ବସିଥିବା ସ୍ଥାନୀୟ ପୁଲିସ ହଠାତ୍‌ ସକ୍ରିୟ ହୋଇଉଠିଥିଲା।
ଅନ୍ୟପକ୍ଷରେ ଲୁଟ ସୁନା ଗହଣା ଜବତ ନେଇ ମଧ୍ୟ ସାଧାରଣରେ ସଂଦେହ ସୃଷ୍ଟି ହୋଇଛି। ଉଭୟ ଘଟଣାରେ ଦୀର୍ଘ ଦେଢ ମାସ ପରେ ସମସ୍ତ ସୁନାଗହଣା ଅକ୍ଷତ ଅବସ୍ଥାରେ ସଂପୃକ୍ତ ଅପରାଧୀମାନଙ୍କ ଠାରୁ ଉଦ୍ଧାର କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ବକ୍ତବ୍ୟକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ ବୋଲି ଆଲୋଚିତ ହେଉଛି।

ସମ୍ବନ୍ଧିତ ଖବର