ଭଡ଼ା ଘରେ ଦେହ ବେପାର : କିଙ୍ଗ୍‌ପିନ୍‌ ସମେତ ତିନି ଗିରଫ; ଦୁଇ ଦେହଜୀବୀ ଉଦ୍ଧାର

ଅନୁଗୁଳ : ଭଡ଼ା ଘରେ ଚାଲିଥିଲା ଦେହ ବେପାର। ସ୍ୱାମୀ, ଦୁଇ କଲେଜ ପଢ଼ୁଆ ପୁଅ ଥାଇ ବି ମହିଳା ଚଳାଇଥିଲେ ଏହି ବେପାର। କିନ୍ତୁ ପୁଲିସ ହାତରେ ଧରାପଡ଼ିଗଲେ। ଅନୁଗୁଳ ସହର ଗାନ୍ଧିମାର୍ଗସ୍ଥିତ ଏକ ଭଡ଼ା ଘରେ ଆଜି ଅନୁଗୁଳ ଥାନା ପୁଲିସ ଦିନ ପ୍ରାୟ ୨ଟା ବେଳେ ଚଢ଼ଉ କରି ଦୁଇ ଗ୍ରାହକଙ୍କୁ ଗିରଫ କରିବା ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଛି। ସେକ୍ସ ର‍୍ୟାକେଟ୍‌ର ରାଣୀ ମହୁମାଛିଙ୍କୁ ବି ପୁଲିସ ବାନ୍ଧିଛି। ଗିରଫ ଦୁଇ ଗ୍ରାହକ ହେଉଛନ୍ତି ଢେଙ୍କାନାଳ ପର୍ଜଙ୍ଗ ଥାନା କନ୍ଦରସିଂହାର ପଦ୍ମନାଭ ସାହୁଙ୍କ ପୁଅ ଦେବାନନ୍ଦ ସାହୁ(୨୯) ଏବଂ ହିନ୍ଦୋଳ ଥାନା ଦିଅରପଶିର ବିଦେଶୀ ମହାରଣାଙ୍କ ପୁଅ ଟୁକୁନା ମହାରଣା। ପୁଲିସ ସେମାନଙ୍କଠାରୁ ମୋଟ ୩୫ହଜାର ୨୦୦ଟଙ୍କା, ୭ଟି ମୋବାଇଲ୍‌ ଫୋନ୍‌ ଜବତ୍‌ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ମହିଳାଙ୍କ ଶିକ୍ଷକପଡ଼ା ଘର ପୋଡ଼ିଯିବା ପରେ ସେ ପରିବାର ସହ ଗଲା ପ୍ରାୟ ଦେଢ଼ ବର୍ଷ ହେବ ଗାନ୍ଧି ମାର୍ଗରେ ଭଡ଼ା ନେଇ ରହୁଥିଲେ। ତାଙ୍କ ସ୍ୱାମୀ ବସ୍‌ ଚାଳକ ହୋଇଥିବା ବେଳେ ଦୁଇ ପୁଅ ମଧ୍ୟରୁ ଜଣେ ଏମବିଏ ଏବଂ ଅନ୍ୟ ଜଣେ ଯୁକ୍ତ ତିନିରେ ପାଠ ପଢ଼ୁଛନ୍ତି। କିନ୍ତୁ ଗଲା କିଛି ମାସ ହେବ ସେ ସେହି ଭଡ଼ା ଘରେ ବାହାରୁ ଯୁବତୀଙ୍କୁ ଆଣି ସେକ୍ସ ର‍୍ୟାକେଟ୍‌ ଚଳାଇଥିଲେ।

କୌଣସି ସୂତ୍ରରୁ ଖବର ପାଇ ଆଜି ଅତିରିକ୍ତ ଥାନା ଅଧିକାରୀ ଦୀପିକା ରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ଅଚାନକ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଦେବାନନ୍ଦ ଓ ଟୁକୁନା ଦୁଇ ଦେହଜୀବୀଙ୍କ ସହିତ ଅସଂଯତ ଅବସ୍ଥାରେ ଥିଲେ। ପୁଲିସ ସେମାନଙ୍କୁ ଧରିବା ସହ କିଙ୍ଗପିନ୍‌ ମହିଳା ଏବଂ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ଥାନାକୁ ଆଣିଥିଲା। ଘଟଣାରେ ସ୍ୱାମୀ ଓ ଦୁଇ ପୁଅର ସଂପୃକ୍ତି ନଥିବା ଜଣାପଡ଼ିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର