ଓଗୀ ଗାଁରେ ଅଘଟଣ :ଦୁଇ ଭଉଣୀଙ୍କ ସଲିଳ ସମାଧି

ଛେଣ୍ଡିପଦା/ପାଇକସାହି: ଜରପଡ଼ା ଥାନା ଓଗୀ ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ସକାଳେ ଉକ୍ତ ଗ୍ରାମ ନିକଟ ନଘରିଆ ନାଳରେ ଗାଧୋଇବା ବେଳେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଓଗୀ ଗ୍ରାମ ଲେମ୍ବୁତଇଳା ସାହି ନିବାସୀ ପୀତାମ୍ବର ସାହୁଙ୍କ ଦୁଇ ଝିଅ ଅଷ୍ଟମ ଶ୍ରେଣୀ ଛାତ୍ରୀ ଝୁନୁବାଳା (୧୩) ଓ ସପ୍ତମ ଶ୍ରେଣୀ ଛାତ୍ରୀ ରେଣୁବାଳା (୧୨)  ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗାଧୋଉଥିବା ପାଇଁ ଗ୍ରାମ ନିକଟ ନଘରିଆ ନାଳକୁ ଯାଇଥିଲେ। ଉଭୟଙ୍କ ଫେରିବାରେ ବିଳମ୍ବ ହେବାକୁ ପୀତାମ୍ବର ତାଙ୍କୁ ଖୋଜିବା ପାଇଁ ନାଳ ପାଖକୁ ଯାଇଥିିଲେ। ନାଳ ପାଖରେ ସେମାନଙ୍କ ଚପଲ, କପଡ଼ା, ସାବୁନ ପଡ଼ିଥିବା ବେଳେ ତାଙ୍କର ଦୁଇ ଝିଅ ନ ଥିଲେ। ନାଳରେ ଉଭୟେ ବୁଡ଼ି ଯାଇଥିବା ସନ୍ଦେହ କରି ପିତାମ୍ବର ପାଟି କରି ସହାୟତା ପାଇଁ ଗ୍ରାମବାସୀଙ୍କୁ ଡାକିଥିଲେ।

ଗ୍ରାମର ବୈକୁଣ୍ଠ ସାହୁ, ବସନ୍ତ ସାହୁ, ଦୁର୍ଗାଚରଣ ସାହୁ, ଟୁନୁ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେମାନେ ନାଳରେ ବହୁ ସମୟ ଖୋଜିବା ପରେ ପାଣିରୁ ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଉଭୟଙ୍କ ମୃତ୍ୟୁ ଘଟି ସାରିଥିଲା। ଏ ସଂପର୍କରେ ପିତାମ୍ବରଙ୍କଠାରୁ ଖବର ପାଇ ଜରପଡ଼ା ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ୱାଳ ସେଠାରେ ପହଞ୍ଚି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଡାକ୍ତରଖାନା ପଠାଇଥିଲେ। ଏ ସଂପର୍କରେ ଜରପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ଦୁଇ ଭାଉଣୀଙ୍କ ଅକାଳ ମୃତ୍ୟୁରେ ପରିବାର ଓ ଗ୍ରାମରେ ଶୋକପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର