ନାଲକୋ ନଗର: ନିକଟରେ ପୁଅ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୃଦ୍ଧାଙ୍କ ନାଲକୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସଂପୃକ୍ତ ବୃଦ୍ଧାଙ୍କ ନିଜ ଘର ପୁରୀର କୁମ୍ଭାରପଡ଼ା ଥାନା ଅଂଚଳରେ। ତାଙ୍କର ୩ ଝିଅ ଥିବା ବେଳେ ଏକମାତ୍ର ପୁଅ ନାଲକୋରେ ଚାକିରି କରୁଛନ୍ତି। ପତିପତ୍ନୀଙ୍କ ମଧ୍ୟରେ ମନୋମାଲିନ୍ୟ ଥିବାରୁ ୧୫ ବର୍ଷ ପର୍ଯ୍ୟନ୍ତ ତାଲଚେରରେ ରହୁଥିବା ତାଙ୍କ ଝିଅଜ୍ବାଇଁଙ୍କ ପାଖରେ ରହିଥିଲେ। ତେେବ କିଛି ମାସ ପୂର୍ବରୁ ସ୍ବାସ୍ଥ୍ୟ ଖରାପ ହେବାରୁ ଚିକିତ୍ସା ସୁବିଧା ପାଇଁ ନାଲକୋରେ ଚାକିରି କରୁଥିବା ତାଙ୍କ ପୁଅଙ୍କ ପାଖକୁ ଆସିଥିଲେ। ହେଲେ ତାଙ୍କ ପୁଅ କିଛିଦିନ ପାଖରେ ରଖିବା ପରେ ପୁରୀରେ ଅସହାୟ ଅବସ୍ଥାରେ ତାଙ୍କୁ ଛାଡ଼ି ଦେଇଥିଲେ। ଝିଅଜ୍ବାଇଁ ନିକଟରେ ପୁରୀ ଯାଇଥିବା ବେଳେ ଅସହାୟ ବୃଦ୍ଧା ମା’ଙ୍କୁ ଉଦ୍ଧାର କରି ଏଠାକୁ ଆଣିଥିଲେ। ଦୁଇ ଦିନ ତଳେ ତାଙ୍କୁ ନାଲକୋ ଡାକ୍ତରଖାନାରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର କରିଥିଲେ। ରେଫର କରାଯିବାର କିଛି ସମୟ ମଧ୍ୟରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଶବ ଅନେକ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲେ ହେଁ ପୁଅ ନଆସିବାରୁ ୩ ଝିଅ ମିଶି ପୁରୀକୁ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp