ବେଲପଡା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଡୁଙ୍ଗୁରିପାଲି ଗାଁରେ ବିବାହର ୫ ଦିନ ପରେ ସ୍ୱାମୀଙ୍କୁ ବାହାର ପଟୁ ତାଲା ଦେଇ ସ୍ତ୍ରୀ ପ୍ରେମିକ ସହ ଫେରାର୍ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଡୁଙ୍ଗୁରିପାଲି ଗାଁର ନକୁଳ ପୁଟେଲଙ୍କ ପୁଅ ଉମାକାନ୍ତ ଦେଓଗାଁ ନିକଟ ସାଉତମୁଣ୍ଡା ଗାଁର କୃଷ୍ଣ ପୁଟେଲଙ୍କ ଝିଅ ସଙ୍ଗୀତା ଓରଫ ଡୋଲେଶ୍ୱରୀଙ୍କୁ ଗତ ୪ ତାରିଖରେ ବିବାହ କରିଥିଲେ। ୯ ତାରିଖ ଦିନ ୨ଜଣ ଯୁବକ ସଙ୍ଗୀତାଙ୍କ ଶ୍ୱଶୁର ଘରକୁ ଆସି ସଂପର୍କୀୟ ବୋଲି କହିଥିଲେ। ଶ୍ୱଶୁର ଘର ପକ୍ଷରୁ ବି ଉଭୟଙ୍କୁ ଆତିଥ୍ୟ ଦିଆଯାଇଥିଲା। ସଂଧ୍ୟାରେ ଯୁବକ ଦ୍ୱୟ ଫେରି ଯାଇଥିଲେ। ଏହି ରାତିରେ ସ୍ୱାମୀ ଶୋଇଯିବା ପରେ ସ୍ତ୍ରୀ ସଙ୍ଗୀତା ବାହର ପଟୁ ଘରର କବାଟ ଦେଇ ଫେରାର୍ ହୋଇ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉମାକାନ୍ତ ଉଠିବା ପରେ ସ୍ତ୍ରୀ ନ ଥିବା ଦେଖି ଖୋଜି ବାହାରିଲା ବେଳକୁ କବାଟ ବାହାର ପଟୁ ବନ୍ଦ ଥିଲା। ପରିବାର ଲୋକ କବାଟ ଖୋଲିବା ପରେ ସମସ୍ତେ ଖୋଜାଖୋଜି କରି ନ ପାଇବାରୁ ସଙ୍ଗୀତାଙ୍କ ବାପ ଘରକୁ ଖବର କରିଥିଲେ। ୧୦ ତାରିଖରେ ବେଲପଡ଼ା ଥାନାରେ ନିଖୋଜ ମାମଲା ଦାୟର କରାଯାଇଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତେବେ ରବିବାର ସଙ୍ଗୀତା ତାଙ୍କ ପ୍ରେମିକ କୁଡ଼ାସିଂହା ଗାଁର ତ୍ରିନାଥ ପୁଟେଲ (୧୯)ଙ୍କ ସହ ଦେଓଗାଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଉଭୟ ପ୍ରେମିକ, ପ୍ରେମିକା ଓ ସଙ୍ଗୀତାଙ୍କ ପରିବାର ଲୋକଙ୍କୁ ଡାକି ପଚରାଉଚରା କରିଥିଲେ। ତେବେ ସଙ୍ଗୀତା ଓ ତ୍ରିନାଥ ସ୍ୱାମୀ- ସ୍ତ୍ରୀ ଭାବେ ରହିବାକୁ ସିଦ୍ଧାନ୍ତ ନେଇଥିବା ଥାନାରେ କହିଥିଲେ।