ଚାକିିରି ନାଁରେ ଯୁବତୀ ଠକାମୀର ଶିକାର

କଂଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ନୂଆପଡ଼ାର ରାମ ପ୍ରସାଦ ବାଗଙ୍କ ଝିଅ ଶ୍ରାବଣୀ ବାଗ ଚାକିରି କରିବାକୁ ଯାଇ ଠକାମୀର ଶିକାର ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏକ ସିକ୍ୟୁରିଟି ସାର୍ଭିସର ଏଜେଣ୍ଟ ଭାବେ କାମ କରୁଥିବା ଦ୍ରୋଣ ବାଗ ନାମକ ଜଣେ ବ୍ୟକ୍ତି ସରକାରୀ ଡାକ୍ତରଖାନାରେ ଚାକିରି କରାଇ ଦେବାକୁ କହି ରାମପ୍ରସାଦଙ୍କ ଠାରୁ ୮୦ ହଜାର ଟଙ୍କା ନେଇଥିଲେ। ପରେ ଶ୍ରାବଣୀଙ୍କୁ ତାଲିମପ୍ରାପ୍ତ ନର୍ସ ଭାବେ କଂଟାବାଞ୍ଜି ଡାକ୍ତରଖାନାରେ ନିଯୁକ୍ତି ଦେଇଥିଲେ। ଶ୍ରାବଣୀ ୩ ମାସ ଦରମା ବାବଦକୁ ୧୨ ହଜାର ଟଙ୍କା ପାଇଥିଲେ। ହେଲେ ବକେୟା ଟଙ୍କା ମାଗିବାରୁ ଆଉ ୬୦ ହଜାର ଟଙ୍କା ଦାବି କରାଯାଇଥିଲା ଓ ରେଗୁଲାର ପ୍ରତିଶ୍ରୁତି ଦିଆଯାଇଥିଲା।

ହେଲେ ଟଙ୍କା ନ ଦେବାରୁ ଗତ ଜାନୁଆରି ମାସରୁ ଶ୍ରାବଣୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏନେଇ କଂଟାବାଞ୍ଜି ଥାନରେ କେସ ନଂ ୨୧/୧୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ତେବେ ଅଭିଯୋଗ ପତ୍ରରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗା କରିବାରୁ କଳିଙ୍ଗ ୱାରିୟସ ସିକ୍ୟୁରିଟି ସାର୍ଭିସର ନିର୍ଦେଶକ ମାନସ ଜେନା ବୋଲି ନିଜକୁ ପରିଚୟ ଦେବା ସହ ଦ୍ରୋଣ ବାଗ କିଏ ଜାଣି ନଥିବା କହିଥିଲେ। ଅନ୍ୟପକ୍ଷେ ଉକ୍ତ ଝିଅକୁ କଣ୍ଟାବାଞ୍ଜି ମେଡିକାଲରେ ରେଫରେନ୍ସରେ ଚାକିରି ଦିଆଯାଇଥିବା କହିଥିଲେ। ତେବେ ଦ୍ରୋଣ କିଏ? ସେ କେତେଦିନ ହେଲା ଏପରି କାର୍ଯ୍ୟ କରି ଆସୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର