ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅମଲିପାଲିର ଲକ୍ଷ୍ମଣ ନାଏକ (୫୫)ଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତେବେ ତାଙ୍କ ପତ୍ନୀ ପ୍ରେମଶୀଳା ନାଏକ ଥାନାରେ ପୁତୁରା ଟୁନା ନାଏକ ହତ୍ୟା କରିଥିବା ନେଇ ଏତଲା ଦେବା ପରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ଟୁନାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଏତଲା ଅନୁସାରେ ଲକ୍ଷ୍ମଣଙ୍କ ଘର ଅମଲିପାଲି ପଞ୍ଚାୟତ ଅଫିସ୍ ପାଖ ପଡ଼ାରେ ହୋଇଥିବା ବେଳେ ସେ ଘର ଜ୍ୱାଇଁ ଭାବେ ବରଗଡ଼ ବ୍ଲକ୍ କଟାପାଲି ଗାଁରେ ରୁହନ୍ତି। ତେବେ ତାଙ୍କ ପୁଅ ଅମଲିପାଲିରେ ରହୁଥିବାରୁ ଲକ୍ଷ୍ମଣ ସେଠାକୁ ଯିବା ଆସିବା କରିଥାନ୍ତି। ପତ୍ନୀ ପ୍ରେମଶୀଳା ମଧ୍ୟ ୪/୫ ଦିନ ତଳେ ଅମଲିପାଲିକୁ ଆସିଥିବା ବେଳେ ଲକ୍ଷ୍ମଣ ବୁର୍ଲାରେ ନିଜ ଝିଅ ଘରେ ୩/୪ ଦିନ ରହି ମଙ୍ଗଳବାର ଦିନ ଅମଲିପାଲିକୁ ଫେରିଥିଲେ। ତେବେ ରାତିରେ ସେ ଖାଇ ପିଇ ନିକଟରେ ଥିବା ଡ. ଆମ୍ବେଦକର ଯୁବକ ସଂଘ କ୍ଲବ୍ ଘରକୁ ଶୋଇବାକୁ ଯାଇଥଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗାଁ’କୁ ଆସିଲେ ସେଠାରେ ସେ ଶୁଅନ୍ତି। ତେବେ ରାତି ପ୍ରାୟ ୯ଟାରେ ସେଠାକୁ ଯିବା ବେଳେ ନିଜ ଭାଉଜ ତଥା ବଡ଼ ଭାଇ ସ୍ୱର୍ଗତ ରାମ ନାଏକଙ୍କ ପତ୍ନୀଙ୍କୁ କୌଣସି କଥାକୁ ନେଇ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପୁତୁରା ଟୁନା ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଝଗଡ଼ା ଶାନ୍ତ ପଡ଼ିବା ପରେ ସେ କ୍ଲବ୍ ଘରକୁ ଶୋଇବାକୁ ଚାଲି ଯାଇଥିବା ବେଳେ ବୁଧବାର ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅତାବିରା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରିଥିଲା। ଲକ୍ଷ୍ମଣଙ୍କ ଦେହରେ ସେଭଳି କୌଣସି ଆଘାତ ଚିହ୍ନ ନ ଥିବା ଦେଖିବା ପରେ ବ୍ୟବଚ୍ଛେଦ ପାଇଁ ଶବ ବରଗଡ଼ ଡାକ୍ତରଖାନାକୁ ପଠାଇଥିଲା। ତେବେ ପ୍ରେମଶୀଳା ଥାନାରେ ପହଞ୍ଚି ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ଟୁନାଙ୍କ ନାଁରେ ଅଭିଯୋଗ କରିବା ପରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଅଟକ ରଖିଚି। ଥାନାଧିକାରୀ ଗୌରାଙ୍ଗ ଚରଣ ସାହୁ ମାମଲାର ତଦନ୍ତ କରୁଛନ୍ତି। ପ୍ରକାଶ ଥାଉ କି ଅଟକ ଟୁନା ପାହାଡ଼ଶ୍ରୀଗିଡ଼ା ଆଞ୍ଚଳିକ ଡିଗ୍ରି କଲେଜରେ ପଢ଼ୁଛନ୍ତି।