ଗଛକୁ ପିିଟିଲା ୧୦୮ ଆମ୍ବୁଲାନ୍ସ:ରୋଗୀ ସମେତ ୨ ମୃତ, ୨ ଗୁରୁତର

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଉଗ୍ରତରା ନଣ୍ଡାବାବା ଆଶ୍ରମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ସକାଳେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଥିଲେ।
ପ୍ରକାଶଯେ ଗତକାଲି ରାତିରେ ଚାନ୍ଦବାଲି ବ୍ଲକର କାଣ୍ତଗରଡ଼ି ଗାଁର ଉପେନ୍ଦ୍ର ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ରାତି ଗୋଟାଏ ବେଳେ ଚାନ୍ଦବାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମେଡିକାଲର ଡାକ୍ତର ଗୟାଧର ସାହୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରିଥିଲେ। ରାତି ୩ଟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ମେଡିକାଲଠାରୁ ୭ କିମି ଦୂର ଉଗ୍ରତରା ନଣ୍ତାବାବା ଆଶ୍ରମ ନିକଟରେ ଏକ ଗୋରୁ ରାସ୍ତା ଉପରକୁ ମାଡ଼ି ଆସିବା ଫଳରେ ଡ୍ରାଇଭର ହଡ଼ବଡ଼େଇ ଯାଇ ୧୦୮ ଆମ୍ବୁଲାନ୍ସ ଏକ ଗଛକୁ ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସର ହେଲପର ପ୍ରମୋଦ ପରିଡ଼ା(୩୦) ଓ ଉପେନ୍ଦ୍ର(୭୦)ଙ୍କର ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସରେ ବସିଥିବା ଉପେନ୍ଦ୍ରଙ୍କ ପୁଅ ସ˚ଜୟ ସାହୁ ଓ ୧୦୮ ଫାର୍ମାସିଷ୍ଟ ନିରୋସ ସାହୁ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ଘଟଣାସ୍ଥଳରୁ ଉପେନ୍ଦ୍ର ଓ ସଞ୍ଜୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଉପେନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଆହତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ସତ୍ୟର˚ଜନ ଫେରାର ହୋଇଯାଇଛି। ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେସିପି ସାହାଯ୍ୟରେ ଆମ୍ବୁଲାନ୍ସକୁ ବାହାର କରି ମୃତ ପ୍ରମୋଦକୁ ଉଦ୍ଧାର କରି ଆଜି ଶବ ବ୍ୟବଚ୍ଛେଦ କରାଇଛି। ଏ ନେଇ ୧୦୮ ଆମ୍ବୁଲାନ୍ସ କମ୍ପାନୀ ଏକ ଅଭିଯୋଗପତ୍ର ଚାନ୍ଦବାଲି ଥାନାରେ କରିଥିବା ବେଳେ ମୃତ ଉପେନ୍ଦ୍ରଙ୍କ ପରିବାର ପକ୍ଷରୁ ଅନ୍ୟ ଏକ ଅଭିଯୋଗ କରାଯାଇଛି। ଖବର ପାଇ କାଣ୍ଡଗରଡି ଗ୍ରାମବାସୀ ଆଜି ଚାନ୍ଦବାଲି ମେଡିକାଲରେ ପହଞ୍ଚି ହୋହାଲ୍ଲା କରିଥିବାରୁ ଉତ୍ତେଜନା ଦେଖାଦେଇଥିଲା। ମୃତକ ପରିବାରଙ୍କୁ ୧୦ଲକ୍ଷ ଓ ଗୁରୁତର ଆହତଙ୍କୁ ୨ଲକ୍ଷ ଟଙ୍କାର ସରକାରୀ ଚିକିତ୍ସା ଯୋଗାଇ ଦେବାକୁ ଦାବି କରି ଭଦ୍ରକ ଚାନ୍ଦବାଲି ମୁଖ୍ୟରାସ୍ତାର କାଳୀମନ୍ଦିର ନିକଟରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସକାଳ ୯ଟାରୁ ଏହି ଆନ୍ଦୋଳନ ଚାଲିଥିବା ବେଳେ ଅପରାହ୍ନ ଦେଢ଼ଟାରେ ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ, ଥାନା ଅଧିକାରୀ ମିନତି ବିଶ୍ବାଳ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ ରେଡ଼କ୍ରସ ତରଫରୁ ୧୦ ହଜାର ଟଙ୍କା ଏବ˚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ମିଳିବାରୁ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର