ଅସହ୍ୟ ତାତିକୁ ଦାଉ ସାଧୁଛି ବିଦ୍ୟୁତ କାଟ:ତାପମାତ୍ରା ଛୁଇଁଲାଣି ୪୩ ଡିଗ୍ରି

ବୌଦ୍ଧ: ବୌଦ୍ଧ ସହରବାସୀ ଏବେ ଏକ ବ୍ଲାଷ୍ଟ ଫର୍ଣ୍ଣେସରେ ରହିବା ଅବସ୍ଥାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ଯଦିଓ କୁହାଯାଉଛି ଯେ ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ବଢ଼ିଛି ମାତ୍ର ଜଙ୍ଗଲ ବୃଦ୍ଧିର କୌଣସି ପ୍ରଭାବ ସହର ଉପରେ ପଡୁ ନାହିଁ। ବରଂ ପ୍ରତିଦିନ ତାପମାତ୍ରା ବଢ଼ି ବଢ଼ି ଚାଲିଛି। ସହରର ତାପମାତ୍ରା ଯାହା ବଢ଼ିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ ଘୋଷଣା କରାଯାଉ ନାହିଁ। ସୋନପୁର ସହିତ ବୌଦ୍ଧ ସହରର ତାପମାତ୍ରକୁ ଯୋଡ଼ି ହିସାବ କରାଯାଉଥିବାରୁ ବୌଦ୍ଧ ମଧ୍ୟ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଲାଣି। ଯେହେତୁ ପାଣିପାଗ ବିଭାଗର ତାପମାତ୍ରା ମାପକ ଯନ୍ତ୍ର ନାହିଁ। ତେଣୁ ତାପମାତ୍ରା ଯେତେ ବୃଦ୍ଧି ହେଲେ ମଧ୍ୟ ତାହା ପ୍ରଦର୍ଶିତ ହେଉ ନାହିଁ। ବୁଧବାର ବୌଦ୍ଧର ତାପମାତ୍ରା ୪୩ ଡିଗ୍ରି ଛୁଇଁଥିଲା। ମହାନଦୀ କୂଳରେ ଥିବା ବୌଦ୍ଧ ସହରର ଏତାଦୃଶ ତାପମାତ୍ରା ବୃଦ୍ଧି ଏବେ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହେଲାଣି। ଯେଉଁ ମାତ୍ରାରେ ତାପମାତ୍ରା ବଢ଼ୁଛି ଏହା ଆଗାମୀ ଦିନରେ ଆହୁରି ଅସମ୍ଭାଳ ହେବାର ଆଶଙ୍କାଦେଖା ଦେଲାଣି। ଏହି ମୁଣ୍ଡଫଟା ଖରାକୁ ଦାଉ ସାଧୁଛି ବିଦ୍ୟୁତ ବିଭ୍ରାଟ।

ସହରରେ ଯେତିକି ସମୟ ବିଦ୍ୟୁତ ରହୁଛି ତାଠାରୁ ଢେର ଅଧିକ ସମୟ ବିଦ୍ୟୁତ କାଟ ହେଉଛି। କି ଦିନ କି ରାତି ବିଦ୍ୟୁତ ଘନ ଘନ କାଟ ହେଉଛି। ଖରାରେ ଲୋକେ ସନ୍ତୁଳି ହୋଇ ଯାଉଥିବା ବେଳେ ଘର ଭିତରେ ଟିକିଏ ଆଶ୍ରୟ ନେବାକୁ ଚାହୁଁଥିବା ବେଳେ ତତଲା କଡ଼େଇରେ ସିଝି ହେଲା ଭଳି ଅବସ୍ଥା ହେଉଛି। ଜିଲ୍ଲାରେ ବିଦ୍ୟୁତ ବିଭାଗରେ କଳେଙ୍କାରୀ କିଛି ନୂଆ କଥା ନୁହେଁ। ହାଲୁକା ଜିନିଷ ଦେଇ ମୋଟା ବିଲ୍‌ କରିବା ଏହି ବିଭାଗର ଏକ ପୁରୁଣା ଅଭ୍ୟାସ। ନିମ୍ନ ମାନର ତାର ସାଙ୍ଗକୁ ହାଲୁକା ଫ୍ୟୁଜ ବାନ୍ଧୁଥିବାରୁ ବାରମ୍ବାର ଖରା ଦିନର ଲୋଡ ସମ୍ଭାଳି ନପାରି ବିଦ୍ୟୁତ ଚାଲିଯାଉଛି। ଏ ବିଷୟରେ ଜିଲ୍ଲା ପ୍ରଶାସନ ସବୁ ଜାଣି ମଧ୍ୟ କିଛି ପ୍ରତିକାର ହେଉ ନାହିଁ। ବୌଦ୍ଧ ସହରବାସୀ ବିଦ୍ୟୁତ ବିଭାଗର ଦାୟିତ୍ୱ ହୀନତାକୁ ସହି ଚାଲିଥିବାରୁ ବିଭାଗୀୟ ଅଧିକାରୀ ମଧ୍ୟ ଉଦାସୀନ ରହୁଛନ୍ତି। ବୌଦ୍ଧ ବାସୀଙ୍କ ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ଲାଣ୍ଡିବନ୍ଧ ଠାରେ ଏକ ଗ୍ରିଡ ଷ୍ଟେସନ ମଧ୍ୟ କରାଯାଇଛି। ମାତ୍ର ଏହାର ପ୍ରଭାବ କିଛି ଅନୁଭୂତ ହେଉ ନାହିଁ। ସବୁଠୁ କୌତୁହଳର ବିଷୟ ହେଲା ଯେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍‌ ଗୁହିପିଟା ଠାରେ ଦୁଇବର୍ଷ ହେଲା ସୌର ଶକ୍ତି ଉତ୍ପାଦନ ହୋଇ ଚାଲିଛି। ଯେତେବେଳେ ଏହି ପ୍ରକଳ୍ପ ଆରମ୍ଭ ହେଲା ସେତେବେଳେ ଲୋକଙ୍କୁ ସ୍ୱପ୍ନ ଦେଖାଯାଇଥିଲା ଯେ ଉକ୍ତ ପ୍ରକଳ୍ପ ହେଲେ ଜିଲ୍ଲାରେ ବିଦ୍ୟୁତ ସଂକଟ ବୋଲି କିଛି ରହିବ ନାହିଁ। ଲୋକେ ନିଜର ଜମି ମଧ୍ୟ ସେଥିପାଇଁ ଛାଡ଼ି ଦେଇଥିଲେ। ମାତ୍ର ପ୍ରକଳ୍ପ ସଂପୂର୍ଣ୍ଣ ହେଲା ପରେ ଉତ୍ପାଦିତ ସୌର ଶକ୍ତି ଜିଲ୍ଲାବାସୀଙ୍କ ଉପକାରରେ ଆସୁ ନାହିଁ। ବରଂ କଂଟାମାଳ ବ୍ଲକ୍‌ର ଲୋକେ ବେଶି ବିଦ୍ୟୁତ ସଂକଟ ଭୋଗୁଛନ୍ତି। ବିଦ୍ୟୁତ କାଟ ବିଷୟରେ ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କଲେ କେହି ଫୋନ ଧରୁ ନାହାନ୍ତି କିମ୍ବା ଆମେ କିଛି ଜାଣି ନାହୁଁ ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର