ଆଇଏନଟିୟୁସି ନାଁରେ କନ୍ଧମାଳରେ କଂଗ୍ରେସ ଖେଳିଲା ଶ୍ରମିକ କାର୍ଡ, କେନ୍ଦ୍ରୀୟ ନେତାଙ୍କ ଆଗରେ ଦମ୍‌ ଦେଖାଇଲେ ଘନ ଶବର

ଫୁଲବାଣୀ: ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି) ନାଁରେ କନ୍ଧମାଳରେ ଶ୍ରମିକ କାର୍ଡ ଖେଳିଛି କଂଗ୍ରେସ। କଂଗ୍ରେସ ସରକାର ସମୟରେ ଶ୍ରମିକଙ୍କ ସାମୂହିକ ବିକାଶ ହୋଇଥିଲା। ପୁର୍ନବାର ଦଳ କ୍ଷମତାକୁ ଆସିଲେ ଶ୍ରମିକଙ୍କ ସବୁ ପ୍ରକାର ସମସ୍ୟା ଦୂର କରାଯିବ ବୋଲି କେନ୍ଦ୍ରୀୟ କଂଗ୍ରେସ ନେତାମାନେ କହିଛନ୍ତି। ଜିଲ୍ଲା ସଦର ମହକୁମା ଫୁଳବାଣୀରେ ଶନିବାର ଏକ ବିରାଟ ଶ୍ରମିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମାଦିକୁନ୍ଦା ଛକରୁ ଶୋଭାଯାତ୍ରା ବାହାରି ଗାନ୍ଧି ସ୍ମୃତି ଭବନଠାରେ ପହଞ୍ଚିଥିଲା। ସେଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ତଥା ପିସିସି ସମ୍ପାଦକ ଘନ କୁମାର ଶବରଙ୍କ ଅଧ୍ୟକ୍ଷତାରେ ଶ୍ରମିକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସମ୍ପାଦକ ତଥା ଦକ୍ଷିଣାଞ୍ଚଳ ପ୍ରଭାରୀ ଅନିଲ ଚେଧୁରୀ, ଓ ଆଇଏନଟିୟୁସି ସର୍ବଭାରତୀୟ ଯୁବ ସଭାପତି ସଂଜୟ ଗାବା ଯୋଗ ଦେଇଥିଲେ। ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ କହିବା ସହ ଶ୍ରମିକଙ୍କୁ ସହାୟତା ପ୍ରଦାନରେ ଚାଲିଥିବା ରାଜନୀତିକୁ ସମାଲୋଚନା କରିଥିଲେ।

ନାଲକୋର ଶ୍ରମିକ ନେତା ର୍ନିମଳ ସାମଲ,ଏସ.ନାଗର, ପିସିସି ସମ୍ପାଦକ ମନୋଜ ଜେନା, ଘୁ,ଉଦୟଗିରି ବିଧାୟକ ଜାକବ ପ୍ରଧାନ, ପୂର୍ବତନ ସାଂସଦ ନକୁଳ ନାୟକ, ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ହିରାସିଂ ମଣ୍ଡଳ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଭାଷଣ ଦେଇଥିଲେ।

ଆଗକୁ ନିର୍ବାଚନ ଆସୁଥିବା ବେଳେ ଆଜିର କାର୍ଯ୍ୟକ୍ରମ ଆୟୋଜନର ପ୍ରମୁଖ ପୁରୋଧା ସାଜିଥିଲେ ଘନ କୁମାର ଶବର। ତାଙ୍କର ଭଲ ସଂଗଠନ ଥିବା ବେଳେ ସେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେଇ ଆଲୋଚନା ହେଉଛି। କିଛି ସଂଗଠନ ନଥିବା ଲୋକ ଆଶାୟୀରେ ରହୁଥିବା ବେଳେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରି କେନ୍ଦ୍ରୀୟ ନେତାଙ୍କ ନିକଟରେ ସେ ଦମ୍‌ ଦେଖାଇଛନ୍ତି ବୋଲି ରାଜନେତିକ ମହଲରୁ କୁହାଯାଉଛି। ଜିଲ୍ଲା କଂଗ୍ରେସ ଉପସଭାପତି କ୍ଳେଶ ପ୍ରଧାନ, କନକ ନାୟକ, ପ୍ରଫୁଲ୍ଲ କୁମାର ବେହେରା, ବଳଦେବ ବେହେରା, ପ୍ରମୋଦ ଦିଗାଲ, ସୁଦାମ ବେହେରା, ଶିବଶଙ୍କର ବେହେରା, ଗୌରଚରଣ ବେହେରା, ସୁରଦା ପ୍ରଧାନ, ପ୍ରଦୀପ ମଲ୍ଲିକ, ଆଶିଷ ଯାଦବଙ୍କ ସମେତ ୧ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଓ ସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର