ବଲାଙ୍ଗୀର କେନ୍ଦ୍ରୀୟ କୋ-ଅପରେଟିଭ୍‌ ସୋସାଇଟି ସୁପରଭାଇଜରଙ୍କୁ ୨ବର୍ଷ ଜେଲ୍‌

କଟକ : ଏକ ଚେକ୍‌ ପ୍ରଦାନ କରିବାକୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଲାଙ୍ଗୀର ଜିଲ୍ଲା କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ସୁବର୍ଣ୍ଣପୁର ବ୍ରାଞ୍ଚର ସୁପରଭାଇଜର ସୋମନାଥ ସାହୁଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡ ହୋଇଛି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ୨୦୧୧ ମସିହାରେ ଅଭିଯୁକ୍ତ ସୋମନାଥ ଶିବତୁଳା ମଣ୍ଡିରୁ ପାଖାପାଖି ୧୪ କ୍ୱିଣ୍ଟାଲ ଧାନ ବିକ୍ରି ବାବଦକୁ ଅଭିଯୋଗକାରୀ ଦିଲ୍ଲୀପ ନାୟକଙ୍କୁ ୧୩୯୬୦ ଟଙ୍କାର ଚେକ୍‌ ଦେବାର ଥିଲା। ହେଲେ ଉକ୍ତ ଚେକ୍‌ ପାଇଁ ସେ ୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ସମ୍ବଲପୁର ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ। ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ତାଙ୍କର ବିଚାର କରାଯାଇଥିଲାବେଳେ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭ ଅନୁଯାୟୀ ୨ବର୍ଷ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନା ଏବଂ ଧାରା ୧୩(୨), ୧୩(୧)(ଡି) ଅନୁଯାୟୀ ୨ବର୍ଷ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଏହି ମାମଲାକୁ ସୁବର୍ଣ୍ଣପୁରର ପୂର୍ବତନ ଡିଏସ୍‌ପି ଅଭିରାମ କର ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପିପି ଉମେଶ ଚନ୍ଦ୍ର ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର