କ୍ରାଇମ୍‌ବ୍ରାଞ୍ଚ ହାତରେ ଦୁଇ ନାଇଜେରିଆ ଅପରାଧୀ : ‘ଆମେରିକୀୟ ଗିଫ୍ଟ’ ଲୋଭ ଦେଖାଇ ଠକିଥିଲେ ୧୧ଲକ୍ଷ

କଟକ : ‘ଆମେରିକୀୟ ଗିଫ୍ଟ’ ପାଇବା ଲୋଭରେ ଫସିଗଲେ ମହିଳା। ମାଟ୍ରିମୋନି ଓ୍ଵବ୍‌ସାଇଟ୍‌ରେ ବନ୍ଧୁତା କରି ତାଙ୍କଠାରୁ ଦୁଇ ନାଇଜେରିଆ ଅପରାଧୀ ଠକି ନେଇଥିଲେ ମୋଟ ୧୦ ଲକ୍ଷ ୪୯ ହଜାର ୧୦ ଟଙ୍କା। ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌ ଘଟଣାର ତଦନ୍ତ କରି ସଂପୃକ୍ତ ଦୁଇ ନାଇଜେରିଆ ଅପରାଧୀଙ୍କୁ ଗିରଫ କରିିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନାଇଜେରିଆ କୋଟେ ଡିଭୋର ସହରର ଜୋଓ୍ଵଜୋ ଆଲେକ୍ସ(୩୪) ଓ ଏରିକୁମେ(୪୬)। ଦୁହେଁ ଦିଲ୍ଲୀ ତିଳକନଗର ଥାନା ମହାବୀର ନଗରରେ ଭଡ଼ା ଘରେ ରହୁଥିଲେ। ସେମାନଙ୍କ ନିକଟରୁ କ୍ରାଇମ୍‌ବ୍ରାଞ୍ଚର ସାଇବର ଥାନା ପୁଲିସ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌, ସିମ୍‌ କାର୍ଡ ଜବତ କରିଛି। ଅଭିଯୁକ୍ତ ଦ୍ୱୟଙ୍କୁ ଦିଲ୍ଲୀ ଚିଫ୍‌ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ୫ ଦିନିଆ ରିମାଣ୍ଡରେ କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟକୁ ଉଭୟଙ୍କୁ ଆଣି ଜେରା କରୁଛି। ତେବେ ସାଇବର ଅପରାଧରେ ଦିନକୁ ଦିନ ବିଦେଶୀ ଅପରାଧୀଙ୍କ ସମ୍ପୃକ୍ତି ବଢ଼ୁଥିବାରୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଭୁବନେଶ୍ୱରର ଏମ୍‌. ବିଶ୍ୱାଳ ନାମକ ଜଣେ ମହିଳା ଗଲା ଜାନୁଆରି ୨୪ତାରିଖରେ ସୋସିଆଲ୍‌ ମିିଡିଆ ଓ୍ଵବ୍‌ସାଇଟ୍‌ରେ ଭୂପିନ୍ଦର ସିଂହ ନାମକ ଜଣେ ଆମେରିକୀୟ ଡାକ୍ତରଙ୍କ ସହିତ ପରିଚିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବା ପରେ ସେହି ମାସ ୨୯ ତାରିଖରେ ଡାକ୍ତର ଜଣକ ସଂପୃକ୍ତ ମହିଳାଙ୍କୁ ଏକ ଗିଫ୍ଟ ପଠାଇଥିଲେ। ୩୦ ତାରିଖରେ ଦିଲ୍ଲୀର ଏକ କୋରିଅର ଏଜେନ୍ସି ଏମ୍‌.ବିଶ୍ୱାଳଙ୍କୁ ଫୋନ୍‌ କରି କୋରିଅର୍‌ରେ ଗିଫ୍ଟ(ଉପହାର) ଆସିଥିବା କହିଥିଲେ। ଗିପ୍ଟ୍‌ରେ ବିପୁଳ ପରିମାଣରେ ଆମେରିକୀୟ ମୁଦ୍ରା ଥିବାରୁ ଦିଲ୍ଲୀ ପୁଲିସ ଗିରଫ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ତୁରନ୍ତ ଏଥିପାଇଁ ଟଙ୍କା ପଠାଇବାକୁ କୋରିଅର ଏଜେନ୍‌ସି କହିଥିଲା। ଏମ୍‌. ବିଶ୍ୱାଳ ସାଇବର୍‌ ଅପରାଧୀଙ୍କ ଚତୁରତା ସହଜରେ ବୁଝିପାରିନଥିଲେ। ସଂପୂର୍ଣ୍ଣ ଅପରାଧୀଙ୍କ ଜାଲରେ ଫସିଯାଇଥିଲେ। ୩୧ ତାରିଖ ଦିନ ୨ଟା ପରଠୁ ୮ଟି ବ୍ୟାଙ୍କ୍‌ ଆକାଉଣ୍ଟରେ ପର୍ଯ୍ୟାୟକ୍ରମେ ମୋଟ ୧୦ ଲକ୍ଷ ୪୯ ହଜାର ୧୦ ଟଙ୍କା ପଠାଇଥିଲେ। ଟଙ୍କା ଯାଇଥିବା ଆକାଉଣ୍ଟ୍‌ଗୁଡ଼ିକ ମିଜୋରମ, ନାଗାଲାଣ୍ଡ୍‌ ଥିଲା। କିନ୍ତୁ ଟଙ୍କା ପଠାଇବା ପରେ ଏମ୍‌. ବିଶ୍ୱାଳ ଯେତେବେଳେ ଯୋଗାଯୋଗ କଲେ, ଆଉ ଏଜେନ୍‌ସି ସହିତ ଯୋଗାଯୋଗ ସମ୍ଭବ ହେଲା ନାହିଁ। ଫଳରେ ସନ୍ଦେହ ବଢ଼ିବା ସହ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନାରେ ଗତ ଫେବ୍ରୁଆରି ୧୩ ତାରିଖରେ ଅଭିଯୋଗ କରିଥିଲେ।

ସାଇବର ଥାନା ଆଇପିସିର ଧାରା ୪୧୯, ୪୨୦, ୩୪୬, ୪୭୧ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଥିଲା। ସାଇବର ଥାନା ଇନ୍‌ସ୍ପେକ୍ଟର ଅନିଲା ଆନନ୍ଦ ଏବଂ ଏଏସ୍‌ଆଇ ଏନ୍‌.ଟି. ଡୋରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରୁ ଡାକ୍ତର ଭୁପିନ୍ଦର ସିଂହ ନାମରେ ଫେସ୍‌ବୁକ ଆକାଉଣ୍ଟ ଖୋଲି ଅଭିଯୁକ୍ତ ଦ୍ୱୟ ଏମ୍‌. ବିଶ୍ୱାଳଙ୍କୁ ଠକିଥିବା ଜାଣିବାକୁ ପାଇଥିଲେ। କେବଳ ସେତିକି ନୁହେଁ, ଏମାନେ ମାଟ୍ରିମୋନି େଓ୍ଵବସାଇଟ୍‌ ଓ ସୋସିଆଲ୍‌ ମିଡିଆରେ ନକଲି ଆକାଉଣ୍ଟ୍‌ ଖୋଲି ଯୁବତୀଙ୍କ ସହିତ ସଂପର୍କ ଯୋଡ଼ୁଥିଲେ। ପ୍ରଥମେ ବିଭିନ୍ନ ପ୍ରକାର ମିଛ କହି ଯୁବତୀଙ୍କ ବିଶ୍ୱାସ ଜନ୍ମାଉଥିଲେ। ପରେ ଆମେରିକାରୁ ଗିଫ୍ଟ୍‌ ପଠାଇଥିବା ଭଳି ଲୋଭନୀୟ କଥା କହି ଯୁବତୀଙ୍କୁ ଏକପ୍ରକାର ନିଜ ଜାଲରେ ଫସାଇ ଦେଉଥିଲେ। କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଏ କଥା ଜାଣିବା ପରେ ଗିରଫ ଦୁଇ ଅଭିଯୁକ୍ତଙ୍କ ମାଟ୍ରିମୋନି ଓ୍ଵବସାଇଟ୍‌କୁ ଟ୍ରାକ୍‌ କରି ଦିଲ୍ଳୀରେ ପହଞ୍ଚିଥିଲା। ଦୁହେଁ ତିଳକନଗର ଥାନା ମହାବୀର ନଗର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ପୁଲିସ ଭଡ଼ା ଘରୁ ହିଁ ଅଭିଯୁକ୍ତ ଆଲେକ୍ସ ଓ ଏରିକୁମେଙ୍କୁ ଗିରଫ କରିଥିଲା। ଅଧିକ ଖୋଳତାଡ଼ ପରେ ଦୁହେଁ ବିଜିନେସ୍‌ ଭିସାରେ ଆସି ଦିଲ୍ଳୀରେ ରହି ଏ ପ୍ରକାର ସାଇବର୍‌ ଅପରାଧ ଚଳାଇଥିବା ଜଣାପଡ଼ିଥିଲା। ସେମାନଙ୍କ ବିରୋଧରେ ପୂର୍ବରୁ ମୁମ୍ବାଇ ନାଗପଡ଼ା ଥାନା ପୁଲିସରେ ସମାନ ଧରଣର ଠକେଇ ମାମଲା(କେସ ନଂ ୫୫) ଥିବା ପୁଲିସ ଜାଣିବାକୁ ପାଇଥିଲା। ଏପରିକି, ଦିଲ୍ଲୀ କୀର୍ତ୍ତିନଗର ଥାନାରେ ୨୦୧୨ରେ ଏରିକୁମେ ବିରୋଧରେ ବି ଅପରାଧିକ ଷଡ଼ଯନ୍ତ୍ର ସମେତ ସଂଗୀନ ଅଭିଯୋଗରେ ମାମଲା(କେସ୍‌ ନଂ ୩୭୨) ଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଗତ ଏପ୍ରିଲ ୫ ତାରିଖରେ ଅନୁରୂପ ଠକେଇର ଶିକାର ହୋଇଥିଲେ। ଜଣେ ଇଂଲଣ୍ଡର ଯୁବତୀ ଗିଫ୍ଟ୍‌ ଲୋଭ ଦେଖାଇ ସଂପୃକ୍ତ ଅଧିକାରୀଙ୍କ ଏକାଉଣ୍ଟ୍‌ରୁ ୪ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲେ।

ସମ୍ବନ୍ଧିତ ଖବର