ଶ୍ରଦ୍ଧାଳୁଙ୍କୁ ଆକର୍ଷଣ କରୁଛି ମା’ କଟକ ଚଣ୍ଡୀଙ୍କ ସରସ୍ୱତୀ ବେଶ, ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଗଡ଼ଚଣ୍ଡୀ

କଟକ: ଓଡ଼ିଶା ପ୍ରସିଦ୍ଧ କଟକ ଦୁର୍ଗାପୂଜା ଅବସରରେ ମା’ କଟକ ଚଣ୍ଡୀ ଗୁରୁବାର ସରସ୍ୱତୀ ବେଶ ଓ ଗଡ଼ଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ପରଂପରା ଅନୁସାରେ ମନ୍ଦିର ପୂଜକମାନେ ଆଜି ଭୋରରୁ ଦେବୀଙ୍କ ଉଦ୍ଦେଶ୍ୟରେ ନିତ୍ୟକର୍ମ ଶେଷ କରିଥିଲେ। ସକାଳ ୭ଟାରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ମନ୍ଦିରରେ ସମ୍ମୁଖରେ ମା’ କଟକ ଚଣ୍ଡୀଙ୍କୁ ଦୀପଦାନ ଦେଇ ଶ୍ରଦ୍ଧାଳୁମାନେ ପରିବାର ଓ ବନ୍ଧୁବର୍ଗଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି। ସେହିଭଳି ଐତିହାସିକ ବାରବାଟି ଦୁର୍ଗ ପରିସରରେ ମଧ୍ୟ ଗଡ଼ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶକୁ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି।

କଟକରେ ଦଶହରା ପର୍ବ ଦିନକୁ ଦିନ ଅଧିକ ଲୋକପ୍ରିୟ ହେଉଛି। ସହରରେ ବର୍ତ୍ତମାନ ପ୍ରାୟ ୨୩ଟି ଚାନ୍ଦିମେଢ଼ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ବେଳେ ମା’ ଦୁର୍ଗା ଓ ଭଗବାନ ଶିବଙ୍କୁ ପ୍ରାୟ ୧୬୦ଟି ମଣ୍ଡପରେ ପୂଜା କରାଯାଉଛି। ଗତ ୧୫ ତାରିଖ ଠାରୁ ଦଶହରା ପାଇଁ କଟକରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଛି। ଯେଉଁ ରାସ୍ତା ଅତିକ୍ରମ କରିବାକୁ ୫ ମିନିଟ ସମୟ ଲାଗିଥାଏ, ତାହା ଏବେ ଘଣ୍ଟାଏ ଲାଗୁଛି। ଟ୍ରାଫିକ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି।

ବିଭିନ୍ନ ମେଢରେ ଶୋଭା ପାଉଛି ୬୧ କିଲୋରୁ ଅଧିକ ସୁନା, ୯୦ କ୍ବିଣ୍ଟାଲରୁ ଅଧିକ ଚାନ୍ଦି। ଆଜି ଷଷ୍ଠୀରୁ ପାରଂପରିକ ଭାବେ ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପୂଜା ଆରମ୍ଭ ହୋଇଥିବା ବେଳେ ସୁନା, ଚାନ୍ଦିର ଚମକରେ ଝଲସୁଛି କଟକ ମହାନଗର। ୨୩ଟି ମେଢ ସଂପୂର୍ଣ୍ଣ ଚାନ୍ଦି ‌ବ୍ୟବହାର କରିଥିବା ବେଳେ ୯ଟି ମେଢରେ ସୁନା ବ୍ୟବହାର ହୋଇଛି। ଚଳିତ ବର୍ଷ ଶହେ ବର୍ଷ ପୂରଣ କରିଥିବା ଛତ୍ରବଜାର ପୂଜା କମିଟି ଆସନ୍ତା ବର୍ଷ ସଂପୂର୍ଣ୍ଣ ଚାନ୍ଦି ମେଢ କରିବାକୁ ନିଷ୍ପତ୍ତି ନେଇଛି। ବାଖରାବାଦରେ କେବଳ କାଳୀ ପୂଜା ସମୟରେ ଚାନ୍ଦି ମେଢ ପ୍ରଦର୍ଶନ ହେଉଥିବା ବେଳେ ଆସନ୍ତାବର୍ଷ ଏହି ହିସାବରେ କଟକରେ ମୋଟ ଚାନ୍ଦି ମେଢ ସଂଖ୍ୟା ୨୫ରେ ପହଞ୍ଚିବ। ବର୍ତ୍ତମାନର ବଜାର ଦର ଅନୁଯାୟୀ ହିସାବ କଲେ ସୁନା ଓ ଚାନ୍ଦିର ମୂଲ୍ୟ ପ୍ରାୟ ୭୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର