ଚୌଦ୍ୱାର-ଗୁରୁଡିଝାଟିଆ : ଆଠଗଡ ବ୍ଲକ ଗୁରୁଡିଝାଟିଆ ଥାନା ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ପୁଣି ରାଜନୈତିକ ସଂଘର୍ଷ ଘଟିଛି। ଛଅଗାଁ ପଞ୍ଚାୟତ ଶଶାଙ୍ଗ ଗ୍ରାମର ଯୁବକ ଶିବରାମ ରାଉତଙ୍କୁ ଆଜି ବିଚ୍ ରାସ୍ତାରେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଛନ୍ତି। ଏଥିରେ ଶିବରାମ ଗୁରୁତର ଆହତ ହୋଇଛନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅସନ୍ତୁଷ୍ଟ ବିଜେଡି ନେତା ଅଭୟ ବାରିକଙ୍କ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଲାଗିରହିଥିବା ବିବାଦର ଏହା ପ୍ରତିଫଳନ ବୋଲି ଅଭିଯୋଗ ହୋଇଛି। ଆହତ ଶିବରାମ ଅଭୟଙ୍କ ସମର୍ଥକ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚୌଦ୍ୱାରସ୍ଥିତ ଇମ୍ଫା କମ୍ପାନିରେ ଠିକା ଶ୍ରମିକ ଭାବେ କାମ କରିବା ପାଇଁ ଶିବରାମ ତାଙ୍କର କେତେକ ଶ୍ରମିକ ବନ୍ଧୁଙ୍କ ସହିତ କୁମାରପୁର-ବଳିପୁର ରାସ୍ତାରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଯାଉଥିବା ବେଳେ ଶଶାଙ୍ଗ ଗ୍ରାମର ହୃଦାନନ୍ଦ ପ୍ରଧାନ ଗୋଟିଏ ଫାର୍ସା ଧରି ତାଙ୍କୁ ପିଛା କରିଥିଲେ। ତାଙ୍କ ସାଙ୍ଗରେ ଆସିଥିବା ତାଙ୍କର ଭାଇ ଦିଲ୍ଲୀପ ପ୍ରଧାନ ମଧ୍ୟ ରାସ୍ତା ଉପରକୁ ଆସି ଶିବରାମଙ୍କୁ ଅଟକାଇଥିଲେ। ସେ ଭୟରେ ସାଇକଲରୁ ଓହ୍ଲାଇ ପଡିବା ପରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନଙ୍କ ସହ ଦୁଲାଳସେନ୍ ପ୍ରଧାନ, ନାର୍ଗାଜୁନ ପ୍ରଧାନ, ଭୀମସେନ ପ୍ରଧାନ, ଶରତ ପ୍ରଧାନ ଓ ଦୀପକ ପ୍ରଧାନ ପ୍ରମୁଖ ସାମିଲ ହୋଇ ଶିବରାମଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ। ଏହି ସମୟରେ ହୃଦାନନ୍ଦ ପ୍ରଧାନ ତାଙ୍କ ମୁଣ୍ଡକୁ ଫାର୍ସାରେ ହାଣିଦେବା ସମୟରେ ତାଙ୍କର ଡାହାଣ ହାତ ବୁଢା ଆଙ୍ଗୁଠି ଓ ବାମହାତ କାଣି ଆଙ୍ଗୁଠିରେ ଗଭୀର କ୍ଷତ ଲାଗିଥିଲା।
ଶିବରାମ ସେଠାରୁ ଜୀବନ ବଞ୍ଚାଇ ବିଲ ମଧ୍ୟକୁ ଦୌଡିବା ସମୟରେ ଦିଲ୍ଲୀପ ପ୍ରଧାନ ତାଙ୍କୁ ଗୋଡାଇ ଗୋଡାଇ ଫାର୍ସାରେ ଆକ୍ରମଣ କରିଥିଲେ। ଫଳରେ ଶିବରାମଙ୍କ ମୁଣ୍ଡ ପଛପଟରେ ଗଭୀର କ୍ଷତ ହୋଇଥିଲା। ଏହି ସମୟରେ ଗ୍ରାମର କେତେକ ଲୋକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଦୌଡି ପଳାଇଥିଲେ ବୋଲି ଗୁରୁଡିଝାଟିଆ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚ ଶିବରାମଙ୍କୁ ଉଦ୍ଧାର କରି ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ସମୟରେ ଏଭଳି ଛକାପଞ୍ଝା ଲାଗି ରହିଛି। ପୂର୍ବରୁ ପୁଲିସ ଉପରକୁ ଆକ୍ରମଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ପରିଣତ ହୋଇଛି।