ବୋମାମାଡ଼ରେ ଉଡ଼ିଗଲା କୋଠଘର : ଚାପି ହେଇ ପ୍ରାଣ ହରାଇଲେ ୨ ଭାଇ

କଟକ/ବାଙ୍କୀ/ଅଂଶୁପା : ପୂର୍ବ ଶତ୍ରୁତାରୁ ବୋମାମାଡ଼। ଏହି ବୋମାମାଡ଼ରେ ଗାଁ କୋଠଘର ଉଡ଼ିଯାଇଛି। ଏଥିରେ ଚାପି ହୋଇ ଦୁଇ ସମ୍ପର୍କୀୟ ଭାଇ ପ୍ରାଣ ହରାଇଛନ୍ତି। ମୃତ ଦୁଇ ଭାଇ ହେଲେ, ପବିତ୍ର ନାଏକ(୩୨) ଓ ମାନସ ନାଏକ(୨୭)। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଡ଼ାବର ଦଳିତ ସାହିରେ ଏହି ଘଟଣା ଘଟିଛି।

ଆଜି ସଂଧ୍ୟା ପ୍ରାୟ ସାଢେ ୭ଟାରେ କୋଠଘରେ ୧୦/୧୨ଜଣ ଯୁବକ ତାସ୍‌ ଖେଳୁଥିଲେ। ହଠାତ୍ କିଛି ଦୁର୍ବୃତ୍ତ ଆସି ଲଗାତାର କୋଠଘର ଉପରକୁ ବୋମାମାଡ଼ କରିଥିଲେ। କିଛି ଯୁବକ ସୌଭାଗ୍ୟକ୍ରମେ ଘରୁ ଦୌଡ଼ି ପଳାଇ ଆସିଥିବା ପ୍ରଫୁଲ୍ଲ ନାଏକଙ୍କ ପୁଅ ପବିତ୍ର, ଭାଲୁ ନାଏକଙ୍କ ପୁଅ ମାନସ ଏବଂ ସନାତନ ନାଏକଙ୍କ ପୁଅ ପରମାନନ୍ଦ ଭିତରେ ରହିଯାଇଥିଲେ। ବୋମା ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ କୋଠ ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଛାତ ତଳେ ତିନି ଜଣ ଚାପି ହେଇ ରହିଯାଇଥିଲେ।

ଖବର ପାଇ ବାଙ୍କୀ ଥାନା ଅଧିକାରୀ ସମୀର ପଣ୍ଡା, ସରଣ୍ଡା ଫାଣ୍ଡି ଅଧିକାରୀ ‌ଅଶୋକ ପଣ୍ଡା ଏବଂ ଡମପଡା ଦମକଳ ବାହନୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କଂକ୍ରିଟ୍ ତଳୁ ପବିତ୍ର, ମାନସ ଓ ପରମାନନ୍ଦଙ୍କୁ ଉଦ୍ଧାର କରିଥିଲେ। ପବିତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମାନସଙ୍କୁ ବାଙ୍କୀ ମେଡିକାଲ୍‌ ନିଆଯିବା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ପରମାନନ୍ଦଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ବିସ୍ଫୋରଣସ୍ଥଳରେ କାଳେ କିଛି ଅଫୁଟା ବୋମା ରହିଥିବ, ସେଥିପାଇଁ ପୁଲିସ ସର୍ଚ୍ଚ ଲାଇଟ୍ ଲଗାଇ ଖାନତଲାସ୍ ଚଳାଇଛି। ତେବେ ଗାଁର ଦୁଇ ସାହି ମଧ୍ୟରେ ଦୀର୍ଘଦିନ ହେଲା ଜଳଛାୟା କମିଟିର ସ୍ଥାନ ନିରୂପଣକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ବୋମାମାଡ କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଆସନ୍ତାକାଲି ସକାଳେ ସନ୍ଧାନୀ କୁକୁର ଓ ଫରେନ୍‌ସିକ୍ ଟିମ୍ ଜରିଆରେ ଘଟଣାର ଅଧିକ ତଦନ୍ତ କରାଯିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର