ଏସ୍‌ସିବି ପ୍ରଫେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

୩ କୋଟି ୨୩ ଲକ୍ଷର ସଂପତ୍ତି ଠାବ

କଟକ : ଏସ୍‌ସିବି ମେଡିକାଲ କଲେଜ କ୍ଲିନିକାଲ୍‌ ହେପାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ କରିଛି। ଏକ ସମୟରେ ୧୨ଟି ଜାଗାରେ ଚଢଉ କରି ସଂପତ୍ତି ଆକଳନ କରାଯାଉଛି।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ତାଙ୍କର କଟକର ୩ଟି ସ୍ଥାନରେ ଘର, ୨ଟି ସ୍ଥାନରେ ପ୍ଲଟ୍‌, ଭୁବନେଶ୍ୱରରେ ପତ୍ନୀଙ୍କ ନାମରେ ଫ୍ଲାଟ୍‌, ଦୁଇଟି ଜାଗାରେ ପ୍ଲଟ୍‌, ପାରାଦୀପରେ ପ୍ଲଟ୍‌ ରହିଛି। ଆଜି ପ୍ରଫେସର ଜେନାଙ୍କ ଏସ୍‌ସିବି କ୍ୟାମ୍ପସରେ ଥିବା କ୍ୱାର୍ଟର, ମହାନଦୀ ବିହାରରେ ପ୍ଲଟ୍‌ ନମ୍ବର ୯୩୬ ଓ ୯୩୭ରେ ଥିବା ଘର, ପ୍ଲଟ୍‌ ନମ୍ବର ୧୧୪ରେ ଥିବା ଘର, ସିଡିଏ ସେକ୍ଟର-୬ ପ୍ଲଟ୍‌ ନମ୍ବର ବି-୧୪୮୩ରେ ଥିବା ଘର, ମଙ୍ଗଳାବାଗ ମାଜେଷ୍ଟିକ୍‌ ଟାଓ୍ଵାରରେ ଥିବା ଫ୍ଲାଟ୍‌, ରାଣୀହାଟ ମେଡିକାଲ୍‌ ରୋଡରେ ଥିବା ଓମ୍‌ ମା’ ଡାଇଗ୍ନୋଷ୍ଟିକ ସେଣ୍ଟର, କେନ୍ଦ୍ରାପଡା ମହାକାଳପଡାରେ ଥିବା ପୈତୃକ ଘର, ଏସ୍‌ସିବି ପ୍ରିନ୍ସିପାଲଙ୍କ ଅଫିସ, ଅଧୀକ୍ଷକଙ୍କ ଅଫିସ, ହେମାଟୋଲୋଜି ବିଭାଗ ମୁଖ୍ୟଙ୍କ ଅଫିସ, ଏସ୍‌ସିବି ସେଣ୍ଟ୍ରାଲ୍‌ ଷ୍ଟୋର, ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌ କେଆର ମେଡିସିନ ଷ୍ଟୋରରେ ଚଢଉ କରାଯାଇଥିଲା। ସିିଡିଏରେ ଥିବା ତାଙ୍କ ୪ ମହଲା କୋଠାର ମୂଲ୍ୟ ୧ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କା ଆକଳନ କରାଯାଇଛି।

ସେହିଭଳି ମହାନଦୀ ବିହାର ଘରର ମୂଲ୍ୟ ୨୧ ଲକ୍ଷ ୯୯ ହଜାର, ମଙ୍ଗଳାବାଗରେ ଫ୍ଲାଟର ମୂଲ୍ୟ ୭ ଲକ୍ଷ ୮୬ ହଜାର, ମଙ୍ଗଳାବାଗ ହରେକୃଷ୍ଣ ଆର୍କେଡରେ ଥିବା ୩ଟି ଦୋକାନ ଘରର ମୂଲ୍ୟ ୩୨ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଚନ୍ଦ୍ରଶେଖରପୁରରେ ଗୋଟିଏ ପ୍ଲଟ୍‌ର ମୂଲ୍ୟ ୩ ଲକ୍ଷ ୪୮ ହଜାର ଟଙ୍କା, ସିଡିଏରେ ଗୋଟିଏ ପ୍ଲଟର ମୂଲ୍ୟ ୧୪ ଲକ୍ଷ ଟଙ୍କା, ଗଣ୍ଡରପୁରରେ ଗୋଟିଏ ପ୍ଲଟର ମୂଲ୍ୟ ୩୦ ହଜାର ଟଙ୍କା, ପାରାଦୀପରେ ଥିବା ପ୍ଲଟର ମୂଲ୍ୟ ୭ ଲକ୍ଷ ୪ ହଜାର ଟଙ୍କା, ଭୁବନେଶ୍ୱର ଘାଟିକିଆରେ ୪୪ ହଜାର ଟଙ୍କା ମୂଲ୍ୟର ପ୍ଲଟ ଆକଳନ କରାଯାଇଛି। ଏଲ୍‌ଆଇସି ଜମା ବାବଦକୁ ୮ ଲକ୍ଷ ୪୫ ହଜାର ଟଙ୍କା ରହିଥିବା ବେଳେ ୮ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଗୃହ ଉପକରଣ, ୧୧ ଭରିରୁ ଅଧିକ ସୁନା, ୨୨୦ ଗ୍ରାମର ରୁପା, ୧ ଲକ୍ଷ ୨୬ ହଜାର ୯୮୫ ଟଙ୍କା ନଗଦ କ୍ୟାସ, ବିଭିନ୍ନ ବ୍ୟାଙ୍କରେ ୭୩ ଲକ୍ଷ ୭୧ ହଜାର ୩୪୧ ଟଙ୍କାର ଜମା, ଗୋଟିଏ କାର୍‌ ଏବଂ ଗୋଟିଏ ବାଇକ୍‌ ଠାବ କରାଯାଇଛି। ତାଙ୍କର ଅଧିକ ସଂପତ୍ତି ସଂପର୍କରେ ଖୋଳତାଡ ଜାରି ରହିଛି ଏବଂ ବ୍ୟାଙ୍କ ଲକର୍‌ ଖୋଲା ଯାଇନାହିଁ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଫେସର ଜେନାଙ୍କ ନାମରେ ପୂର୍ବରୁ ବିଭିନ୍ନ ଅଭିଯୋଗ ରହିଥିବା ବେଳେ ସେହି ଆଧାରରେ ଏହି ଚଢଉ କରାଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସଂପତ୍ତି ଆକଳନ ସହ ସେଗୁଡିକର ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଆରଡିସିଙ୍କ ଖୋଳତାଡ଼

କଟକ : ଏସ୍‌ସିବି ହେମାଟୋଲୋଜି ବିଭାଗର ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ସଂପର୍କରେ ଆରଡିସି ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ପ୍ରଫେସର ଜେନାଙ୍କ ସଂପର୍କରେ ପୂର୍ବରୁ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଆଜି ଆରଡିସିଙ୍କ ପକ୍ଷରୁ ଏସସିବିକୁ କେତେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ମଗାଯାଇ ଯାଞ୍ଚ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର