କନ୍ଧମାଳ: ଯୁବତୀଙ୍କ ଗଳିତ ମୃତଦେହ ପାଣି ଟାଙ୍କିରୁ ଉଦ୍ଧାର, ହତ୍ୟା ସନ୍ଦେହ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଂଚଳରେ ଜଣେ ଯୁବତୀଙ୍କ ଗଳିତ ମୃତଦେହକୁ ପୁଲିସ ପାଣିଟାଙ୍କିରୁ ଉଦ୍ଧାର କରିଛି। ମଣ୍ଡାକିଆ ପଂଚାୟତର ଲତେଡିକିଆ ଗାଁ ପାଖ ଦେଇ ଯାଇଥିବା ନାଳ ନିକଟସ୍ଥ ପାଣିଟାଙ୍କିରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ଦେଖି ଯାହା ଜଣାପଡୁଛି, ଯୁବତୀଙ୍କୁ ପ୍ରଥମେ ହତ୍ୟା କରାଯାଇ ଯୋଜନା ଅନୁସାରେ ପାଣିଟାଙ୍କି ଭିତରେ ପକାଇ ଦିଆଯାଇଛି।

ପମ୍ପ ହାଉସ୍‌ କର୍ମଚାରୀ ଗଙ୍ଗାରାମ ପ୍ରଧାନ ଶନିବାର ପାଣିଟାଙ୍କି ତଦାରଖ ପାଇଁ ଯାଇଥିଲେ। ସେଠାରେ ସେ ପାଣି ଉପରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ଏହା ପରେ ସେ ଏବାବଦରେ ପୁଲିସକୁ ସୂଚନା ଦେଇଥିଲେ। ରାଇକିଆ ପୁଲିସ ରବିବାର ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ମୃତଦେହକୁ ପୁଲିସ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଜି. ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ଏବଂ ରାଇକିଆ ଥାନା ଅଧିକାରୀ ନରେଶ ସାହୁଙ୍କ ନେତୃତ୍ୱରେ ପୁଲିିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର