କାର୍‌ ଦୁର୍ଘଟଣାରେ ୫ ଆହତ, ଜଣେ ଗୁରୁତର

ରିଆମାଳ: ରିଆମାଳ ଥାନା ବୁରୁବୁଡା ଛକରେ ମଙ୍ଗଳବାର ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନାନୁସାରେ ଝାରସୁଗୁଡ଼ାରୁ ଏକ କାର୍‌ (ଓଆର୍‌ ୨୩ଏଫ୍‌-୦୨୮୯)ରେ ୪ ଜଣ ଯୁବକ ଓ ଜଣେ ବାଳକ ନୂଆଡିହି ଅଭିମୁଖେ ଯାଉଥିଲେ। ନିଜେ ମାଲିକ ଗାଡ଼ି ଚଳାଉଥିଲେ। ତେବେ ସେମାନେ ଟିଙ୍କବୀର ରାସ୍ତ ଦେଇ ନ ଯାଇ ବୁଢ଼ାପାଳ ଦେଇ ରାଞ୍ଚି-ବିଜୟଓ୍ଵାଡ଼ା ରାସ୍ତାରେ ଯିବାକୁ ଯୋଜନା କରି ଦ୍ରୁତ ଗତିରେ ଯାଉଥିଲେ। ମାତ୍ର ବେପରଓ୍ଵା ଚାଳନା ଯୋଗୁଁ ଗାଡ଼ିଟି ବୁରୁବୁଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ବର ଗଛରେ ପିଟି ହୋଇ ୪ ପଲଟି ମାରିବା ପରେ ଏକ ଜମି ଭିତରେ ପଡ଼ିଥିଲା। ଫଳରେ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହ ଭିତରେ ଥିବା ଝାରସୁଗୁଡ଼ାର ଦୁଇ ଜଣ ଯୁବକଙ୍କ ସହ ନୂଆଡିହି ଗାଁର ବୃନ୍ଦାବନ ମାଝୀ, ବିକାଶ ସାହୁ ଓ ରିଣ୍ଟୁ ସାହୁ (୧୨) ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରିଣ୍ଟୁଙ୍କ ହାତ ଭାଙ୍ଗିଯିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। କୁଣ୍ଢେଇଗୋଳା ଫରେଷ୍ଟର ପ୍ରୀତମ ସାହୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଛତାବର ଡାକ୍ତରଖାନାକୁ ଆଣିଥିଲେ। ପରେ ସେମାନଙ୍କୁ ଦେବଗଡ଼ ଡାକ୍ତରଖାନା ପଠାଯାଇଥିବା ବେଳେ ଗୁରୁତର ଆହତ ରିଣ୍ଟୁଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର