ଏମିତି ସ୍କୁଲ ଦେଖିନଥିବେ: କୁନି ଗାଁର ପିଲାଙ୍କୁ ପଢ଼ାନ୍ତି ସାରା ବିଶ୍ୱର ପ୍ରବାସୀ ଓଡ଼ିଆ

ଦେବଗଡ/ଭୁବନେଶ୍ୱର: ଆପଣ ଦେଖିନଥିବେ ଏମିତିକା ସ୍କୁଲ | ଚକାଚକ ରଙ୍ଗ ଲାଗିନାହିଁ କି ଭଲ ବେଞ୍ଚ କି ଟେବୁଲ ନାହିଁ | କିନ୍ତୁ ଅଛି ଏମିତି ଏକ କ୍ଷମତା ଯାହାକି ଜଣେ ଭଲ ମଣିଷ ତିଆରି ପାଇଁ ଯଥେଷ୍ଟ | କୌଣସି ବଡ ସହରରେ ନାହିଁ କି ବଡବଡିଆଙ୍କ ଛୁଆ ଯାଆନ୍ତି ନାହିଁ ଏହି ସ୍କୁଲ | କିନ୍ତୁ ଏହି ସ୍କୁଲରେ ପାଠ ପଢ଼ାନ୍ତି ଦେଶବିଦେଶରେ ରହୁଥିବା ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ | ସଫଳତାର ଶିଖରକୁ ଛୁଇଁଥିବା ମଣିଷମାନେ ଏଠାକାର ପିଲାମାନଙ୍କୁ ପାଠ ପଢ଼ାନ୍ତି | ଆର୍ଥିକ ସ୍ତରରେ ଦୁର୍ବଳ ଯୋଗୁଁ ଇଚ୍ଛା ଥାଇ ବି ନିଜ ପିଲାମାନଙ୍କୁ ପାଠ ପଢାଇ ପାରୁନଥିବା ଅଭିଭାବକଙ୍କ ପାଇଁ ଏବେ ଆଶାର ନୂଆ ଆଲୋକ ସାଜିଛି ଏହି ସ୍କୁଲ | ଏତେ କଥା ପଢି ଆପଣ ଭାବୁଥିବେ ଯେ ଏମିତି ସ୍କୁଲ କେଉଁଠି ଅଛି | ବାସ୍ତବରେ ଏହି ସ୍କୁଲ ଆମ ଓଡ଼ିଶାରେ ହିଁ ଅଛି |

ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକର ଗାଁ ଝରାଗୋଗୁଆରେ ସାମାଜିକ ସଂସ୍ଥା ଏକ ଆଶା ଟ୍ରଷ୍ଟ ପକ୍ଷରୁ ଖୋଲାଯାଇଛି ଏମିତି ଏକ ସ୍କୁଲ | ‘ଏକ ଆଶା ବିଦ୍ୟା ବନମ’ ନାମରେ ନାମିତ ଏହି ସ୍କୁଲ ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | କାରଣ ଏହାର ପାଠ୍ୟକ୍ରମର ଢାଞ୍ଚା ସମ୍ପୂର୍ଣ୍ଣ ନିଆରା | ସକାଳେ କିଛି ଶିକ୍ଷକ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢାଉଥିବାବେଳେ ସନ୍ଧ୍ୟାରେ ପିଲାମାନଙ୍କୁ ଚିନ୍ତନ କ୍ଲାସ(ଥିଁକିଙ୍ଗ କ୍ଲାସ) ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷା ଦିଅନ୍ତି ଦେଶବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ | ଡାକ୍ତର, ଇଂଜିନିୟରଙ୍କ ସହ ସଫ୍ଟୱେୟାର ବିଶେଷଜ୍ଞମାନେ ଅନଲାଇନରେ ପିଲାମାନଙ୍କୁ ଶିଖାନ୍ତି ଜୀବନରେ ସଫଳତା ପାଇବାର ମନ୍ତ୍ର | ୭୦ ପ୍ରତିଶତରୁ ଅଧିକ ଦାରିଦ୍ର୍ୟ ଥିବା ଗ୍ରାମକୁ ଲକ୍ଷ୍ୟରେ ରଖି ଏହି ବିଦ୍ୟାଳୟ ନିର୍ମାଣ କରାଯାଇଛି |

ଚିନ୍ତନଶୀଳ, ଦକ୍ଷତାସମ୍ପନ୍ନ, ଦୟାଶୀଳ ମଣିଷ ଗଠନର ଲକ୍ଷ୍ୟରେ ଏହି ବିଦ୍ୟାଳୟ ନିର୍ମାଣ କରାଯାଇଛି | ମାର୍କ ହିଁ ସବୁକିଛି ନୁହେଁ ଜଣେ ଶିଶୁ କେମିତି ଭଲ ମଣିଷ ହେବ ଓ ସମାଜକୁ ବାନ୍ଧି ରଖିବା ପାଇଁ ସାରଥୀ ସାଜିବ ସେଥିପାଇଁ ଆମେ ଏହି ବିଦ୍ୟାଳୟର ପରିକଳ୍ପନା କରିଥିଲୁ | ଦାମୀ ସ୍କୁଲର ପିଲାମାନେ ଯେଭଳି ଶିକ୍ଷା ପାଇପାରୁଛନ୍ତି ସେଭଳି ପାଠପଢା ଅନୁନ୍ନତ ଗ୍ରାମର ପିଲା ବି ପାଆନ୍ତୁ, ତାହା ହିଁ ଆମର ଲକ୍ଷ୍ୟ |

ସମ୍ବିତ ଦାସ, ପ୍ରତିଷ୍ଠାତା, ଏକ ଆଶା ଟ୍ରଷ୍ଟ

ଦେବଗଡ ବ୍ୟତୀତ କେଉଁଝର ଓ ରାୟଗଡା ଜିଲ୍ଲାରେ ବି ଟ୍ରଷ୍ଟ ପକ୍ଷରୁ ଚିନ୍ତନ କ୍ଲାସ ଖୋଲାଯାଇଛି | ପାଖାପାଖି ୩୦୦ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି | ଏବେ ଦେବଗଡ ଜିଲ୍ଲାରେ ଖୋଲାଯାଇଥିବା ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏଁ ଥିବାବେଳେ ଆଗକୁ ଶ୍ରେଣୀ ସଂଖ୍ୟା ବଢିବ | ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆମାନଙ୍କର ସହଯୋଗରେ ଏହି ବିଦ୍ୟାଳୟ ଖୋଲାଯାଇଥିବାବେଳେ ଚିନ୍ତନ କ୍ଲାସର ପରିକଳ୍ପନା ଅନୁଯାୟୀ ଯେଉଁମାନେ ଅନ୍ୟ ସ୍କୁଲରେ ପାଠ ପଢୁଛନ୍ତି ସେମାନେ ସନ୍ଧ୍ୟାବେଳେ ଏଠାରେ ଯୋଗ ଦେଉଛନ୍ତି |

ସମ୍ବନ୍ଧିତ ଖବର