ମରଣାନ୍ତକ ଆକ୍ରମଣ ମାମଲାରେ ବ‌ର୍ଷେ ଜେଲ୍‌

ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ ନଗାରି ଗ‌ାଁର ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ସୋନାଲି ଅପରାଜିତା ଏହି ମାମଲାର ଅଭିଯୁକ୍ତକୁ ୧ ବର୍ଷ କାରାଦଣ୍ଡ ପ୍ରଦାନ କରିଛନ୍ତି।
ବିବରଣୀରୁ ପ୍ରକାଶ, ୨୦୧୩ ମାର୍ଚ ୧୦ ତାରିଖ ଅପରାହ୍ଣ ସାଢେ ୪ଟା ସମୟରେ ନଗାରି ଗାଁର ମୁରଲୀଧର ସାହୁ ଘରୁ ମୋଟଙ୍ଗା ଅଞ୍ଚଳକୁ ଯାଉଥିଲେ। ଏହି ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଗାଁର ଶାନ୍ତନୁ ନାୟକ ସାଇକେଲ୍‌ରେ ଆସି ତାଙ୍କୁ ଜାଣିଶୁଣି ଧକ୍କା ଦେଇଥିଲେ। ଶ୍ରୀ ସାହୁ ତଳେ ପଡିଯାଇଥିବାବେ‌ଳେ ଶାନ୍ତନୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଧା ଗୋଇଠା ମାରିଥିଲେ। ଏଥିସହ ଶ୍ରୀ ସାହୁଙ୍କର ଏକ ହାତ ଘଣ୍ଟା ଏବଂ ତାଙ୍କ ପାଖରେ ଥିବା ୪୬୦୦ ଟଙ୍କା ଛଡାଇ ନେଇ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ପଳାଇଥିଲେ। ମୁରଲୀଙ୍କ ଅଭିଯୋଗ କ୍ରମେ ମୋଟଙ୍ଗା ଥାନାରେ ଆଇପିସି ଦଫା ୨୭୯,୨୯୪,୩୨୩,୩୭୯,୫୦୬ ଆଇପିସିରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାକୁ ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରଟ୍ ସୋନାଲି ଅପରାଜିତା ୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ୩୨୩ ଦଫାରେ ଅଭିଯୁକ୍ତକୁ ଏକ ବର୍ଷ କାରାଦଣ୍ଡ ଦେବା ସହ ୧୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସହକାରୀ ଏପିପି ଅନୁଜ୍ଞା ମହାନ୍ତି, ଲକ୍ଷ୍ମୀଧର ପଣ୍ଡା, ପୁଷ୍ପକ ତ୍ରିପାଠୀ, ସୁଶାନ୍ତ ହୋତା, ଅଦ୍ବୈତ ବାରିକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର