ଏଟିଏମ୍‌ରେ ନକଲି ନୋଟ ଜମା କରିବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଲା

କଟକ: ମର୍କତନଗର ଥାନା ପୁଲିସ ଜଣେ ବ୍ୟବସାୟୀଙ୍କୁ ଜାଲ ନୋଟ କାରବାର ଅଭିଯୋଗରେ ଗିରଫ କରିଛି।  ଗିରଫ ଅଭିଯୁକ୍ତଙ୍କ ନାମ ସତ୍ୟଜିତ ପଣ୍ଡା ଓ ଘର ବାଙ୍ଗୀ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, କଟକ ମର୍କତନଗର ଥାନା ଅଞ୍ଚଳରେ ସତ୍ୟଜିତ ପଣ୍ଡା ବସବାସ କରନ୍ତି। ଗତ ଜାନୁଆରି ୧୭ତାରିଖ ଦିନ ସତ୍ୟଜିତ ପଣ୍ଡା ୧ଲକ୍ଷ ୬ହଜାର ଟଙ୍କା ଏଟିଏମ୍‌ରେ ଥିବା ଟଙ୍କା ଡିପୋଜିଟ ମେସିନ୍‌ରେ ଡିପୋଜିଟ୍‌ କରିଥିଲେ । ସେ ଏହି ୧ଲକ୍ଷ ୬ହଜାର ଟଙ୍କା ଡିପୋଜିଟ କରିଥିଲେ ହେଁ ସତ୍ୟଜିତଙ୍କ ବ୍ୟାଙ୍କ ଆକାଣ୍ଟକୁ କିଛି ବି ଟଙ୍କା ଆସି ନଥିଲା। ଯାହା ଜାଣିବା ପରେ ସତ୍ୟଜିତ ବିଚଳିତ ହୋଇପଡ଼ିଥିଲେ ଏବଂ ସଙ୍ଗେସଙ୍ଗେ ଏ ଘଟଣା ବିଷୟରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଅଭିଯୋଗ କରିଥିଲେ।

ସତ୍ୟଜିତଙ୍କ ଅଭିଯୋଗ ପରେ ବ୍ୟାଙ୍କର କର୍ମଚାରୀ ଦେବକାନ୍ତ ନାୟକ ଜମା ଟଙ୍କା ଦେଖିଲା ବେଳକୁ ସେଥିରେ ୧ଲକ୍ଷ ୬ହଜାର ବ୍ୟାଙ୍କ ନକଲି ନୋଟ ଥିବା ଦେଖିବାକୁ ପାଇଥିଲେ। ଏହି ସମସ୍ତ ନକଲି ନୋଟ ମଧ୍ୟରେ ୫୩ଟି ୨ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ମର୍କତନଗର ଥାନା ପୁଲିସଙ୍କୁ ଜଣାଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଜାଲ ନୋଟ ଜବତ କରିବା ସହ ସତ୍ୟଜିତଙ୍କୁ ଗିରଫ କରିଥିଲା। କିନ୍ତୁ ଏହି ଜାଲ ନୋଟ ବିଷୟରେ ସତ୍ୟଜିତ କିଛି ଜାଣି ନ ଥିବା କହିଛନ୍ତି। ପୁଲିସ ଏହି ଘଟଣା ଆଉ କିଏ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର