ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ, ଭବାନୀପାଟଣା-ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

କୋକସରା: ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ କାଉଡ଼ଲାରେ ଚାଷୀମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ୨୬ ନମ୍ବର ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା-ଜୟପୁର ମୁଖ୍ୟରାସ୍ତାରେ ପ୍ରାୟ ଏକ ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ କାଉଡ଼ଲା ଗାଁରେ ପ୍ରାୟ ୩୦୦ ଚାଷୀଙ୍କୁ ଟୋକନ୍‌ ମିଳିଛି। ଏହି ଚାଷୀମାନେ ପ୍ରାୟ ୧୭ ହଜାର କୁଇଣ୍ଟାଲ ଧାନ ମଣ୍ଡି ମାଧ୍ୟମରେ ବିକ୍ରି କରିବାକୁ ସ୍ବୀକୃତି ପାଇଛନ୍ତି । ମାତ୍ର ଏଠାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ୧୧ ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି। ପ୍ରଶାସନ ସମସ୍ୟାର ସମାଧାନ ଶୀଘ୍ର କରୁ ନ ଥିବାରୁ ଆଜି ଚାଷୀମାନେ ଅପରାହ୍ନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ରାଜରାସ୍ତା ଉପରେ ଧାନ ବସ୍ତାଗୁଡ଼ିକ ଲାଇନ୍‌ରେ ରଖି ଆନ୍ଦୋଳନ କରିଥିଲେ।

ଚାଷୀମାନେ ରାସ୍ତା ଅବରୋଧ କରିଥିବା ଖବର ମିଳିବା ପରେ କୋକସରା ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଶବର ଘଟଣାସ୍ଥଳକୁ ପହଞ୍ଚି ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ। ଆସନ୍ତାକାଲି ଧାନ ଉଠାଯିବ ବୋଲି ଅତିରିକ୍ତ ତହସିଲଦାର ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଚାଷୀମାନେ ରାଜରାସ୍ତାରୁ ଉଠିଥିଲେ। ଅନ୍ୟପଟେ ଚାଷୀମାନେ ଚେତାବନୀ ଦେଇଛନ୍ତି ଯେ, ଆସନ୍ତାକାଲି ଯଦି ମଣ୍ଡିରୁ ଧାନ ନ ଉଠୁଛି, ତା’ହେଲେ ସୋମବାର ପୁଣି ରାସ୍ତା ଅବରୋଧ କରାଯିବ।

ସମ୍ବନ୍ଧିତ ଖବର