ଚାଷୀ ମୁଣ୍ତ ଉପରେ ‘କରୋନା’ ଚଡକ: ମିଳୁନି କୀଟନାଶକ ଓ ସାର, ଭୟରେ ଆସୁନାହାନ୍ତି ଶ୍ରମିକ, ଚାଷ କାମରେ ବାଧା
ବେଉଷଣରେ ବାଧକ ସାଜିଛି ପୁଲିସ ଛାଟ, କରୋନା ଯୋଗୁଁ ଧମେଇଛି ଚାଷୀ ପଞ୍ଜୀକରଣ
ଜୟପୁର (ଶ୍ରୀକାନ୍ତ ସାହୁ): ‘କରୋନା’ ତା’ର କାୟା ବିସ୍ତାରିଥିବାବେଳେ ଓଡ଼ିଶାକୁ ମଧ୍ୟ ପ୍ରବେଶ କରିସାରିଲାଣି। କେତେବେଳେ ଯେ ମାଳଭୂମି କୋରାପୁଟରେ ପ୍ରବେଶ କରିବ ତାହା କହିହେବ ନାହିଁ। କିନ୍ତୁ ପ୍ରଶାସନ ସଜାଗ ଥିଲେ ଏହାର ସିଧାସଳଖ ପ୍ରଭାବରେ ପ୍ରଭାବିତ ହୋଇଛି ଚାଷୀକୂଳ। ଗୋଟିଏ ପେଟେ ରବି ଋତୁ ପାଇଁ ବେଉଷଣ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ଭୟରେ ବିଲକୁ ଆସୁନାହାନ୍ତି ଶ୍ରମିକ। ଫଳରେ ଏବେ ଶହ ଶହ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ରବିଋତୁରେ କିପରି ଚାଷ କାର୍ଯ୍ୟ ତ୍ବାରାନ୍ବିତ ହେବ ତାହା ଆଶା ଆଶଙ୍କା ମଧ୍ୟକୁ ଟାଣି ହୋଇଯାଇଛି। ଯଦି ଏବେ ବେଉଷଣରେ ଢିଲା ହୁଏ ତେବେ ଆଗକୁ ରୋଗପୋକ ଲାଗିବାର ଆଶଙ୍କା ବଢି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର, ଲମତାପୁଟ, କୁନ୍ଦୁରା, କୋଟପାଡ, ବୈପାରୀଗୁଡା ଓ ବୋରିଗୁମ୍ମା ସହ ୧୪ଟି ବ୍ଲକରେ ମୋଟ ଚଳିତ ଋତୁରେ ପ୍ରାୟ ୮୮ହଜାର ହେକ୍ଟର ଜମିରେ ଚାଷ କରାଯିବାକୁ ଯୋଜନା ରହିଛି। ଏବେ ମାତ୍ର ୩୭ଶହ ଚାଷୀଙ୍କର ପଞ୍ଜୀକରଣ ହୋଇଥିବା ବେଳେ କରୋନାଯୋଗୁଁ ଏଥିରେ ବାଧା ଉପୁଜିଛି। କରୋନା ପ୍ରଭାବରେ ରାଜ୍ୟସାରା ଲୋକେ ଭୟବିତ ହୋଇ ରହିଥିବାବେଳେ କୋରାପୁଟ ଜିଲ୍ଲାର ଚାଷୀକୂଳରେ ଦେଖାଦେଇଛି ହାହାକାର। ଏହାର ପ୍ରଭାବରେ ଶ୍ରମିକ ଆସୁ ନ ଥିବାବେଳେ ବେଉଷଣ ସମୟରେ ଚାଷୀକୁ ହୋଇଛି ଭୀଷଣ କ୍ଷତି। ଗୋଟିଏପଟେ କରୋନା ଆତଙ୍କ ଅନ୍ୟପଟେ ବେଉଷଣ ନ ହେଲେ ଉଜୁଡିବ ଲକ୍ଷ ଲକ୍ଷ ଟଙ୍କା ବିନିୟମରେ ଆରମ୍ଭ ହୋଇଥିବା ଧାନ ଚାଷ।
ଏବେ ସହରରେ ୨୧ ଦିନଯାଏ ଲକଡାଉନ ରହିଥିବାବେଳେ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ କୀଟନାଶକ ଦୋକାନରେ ତାଲା ପକାଇ ଦିଆଯାଇଛି। ଫଳରେ ଚାଷୀଙ୍କୁ ମିଳୁନି ସାର ଓ କୀଟନାଶକ। ଏହାକୁ ସରକାରୀ ଅତି ଆବଶ୍ୟକଦ୍ରବ୍ୟ ଭାବେ ମାନ୍ୟତା ଦେଇଥିବାବେଳେ ସହରରେ ଏହାକୁ ବନ୍ଦ କରିଦିଆ ଯାଇଥିବାବେଳେ ଏହାର ସିଧାସଳଖ ପ୍ରଭାବ ପଡିଛି ଗ୍ରାମଞ୍ଚଳରେ ରହିଥିବା ଚାଷୀଙ୍କ ଉପରେ। ଏବେ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅନାବନା ଘାସ ବାଛାଯାଉଛି।
ଏବେ ଧାନରେ କାଣ୍ଡବିନ୍ଧା ଓ ଚକଡା ରୋଗ ଦାଉରୁ ମୁକ୍ତି ପାଇଁ ବ୍ୟବସ୍ଥା କରାଯାଉଥିବାବେଳେ ମିଳୁନି କୀଟନାଶକ ଓ ସାର। ଭୟରେ ଏବେ ଚାଷୀ ଦିନ ରାତି ଏକ କରି ବିଲରେ ପଡିଥିବା ଦେଖିବାକୁ ମିଳିଛି। ବିଲରେ ରବି ଋତୁ ପାଇଁ ଧାନ ବୁଣା ହୋଇ ଗଛ ସଷ୍ଟାଙ୍ଗ ହୋଇଛି। ସବୁଜ ସବୁଜ ହୋଇ ପବନରେ ଲହଡି ଖେଳୁଥିବାବେଳେ ମିଳୁ ନାହାନ୍ତି ଶ୍ରମିବ। ପୁଲିସ ଓ ଶ୍ରମ ବିଭାଗର ତାଗିଦ ଯୋଗୁଁ ଶ୍ରମିକ ଗାଁରେ ବୁଲୁଥିଲେ ମଧ୍ୟ ଶ୍ରମ କରିବାକୁ ଆସୁନାହାନ୍ତି। ଯଦି ଏପରି ଲାଗି ରହେ ତେବେ କ’ଣ ହେବ ତାହାକୁ ଏନେଇ ଆଶା ଓ ଆଶଙ୍କାରେ ଚାଷୀ।
ଜୟପୁର ବାଲିଆର ଚାଷୀ ମନୋଜ ପାତ୍ର କହିଛନ୍ତି ଯେ ପ୍ରାୟ ୧୨ ଏକରରୁ ଅଧିକ ଜମିରେ ଧାନ ଚାଷ କରିଛି। ଖାଲି ଧାନ ନୁହେଁ ଚଳିତ ବର୍ଷ ମାଣ୍ଡିଆ ମଧ୍ୟ ଚାଷ କରାଯାଇଛି। ହେଲେ ଏବେ ଧାନ ଓ ମାଣ୍ଡିଆ ବେଉଷଣର ସମୟ ହୋଇଥିବାରୁ ଶ୍ରମିକ ମିଳୁନାହାନ୍ତି। ଯେଉଁଠି ୨୫ଜଣ ଶ୍ରମିକ ଆବଶ୍ୟକ ସେଠାରେ ମାତ୍ର ୨ ଜଣ ମିଳୁଛନ୍ତି। ଯେତେ ବୁଝାସୂଝା କଲେ ମଧ୍ୟ ପୁଲିସ ଓ ଶ୍ରମ ବିଭାଗର ତାଗିଦରେ ଆସୁନାହାନ୍ତି। କୋରାନାକୁ ବିଚାର କରି ଆମେ ସବୁ ବ୍ୟବସ୍ତା କରିଥିଲେ ବି ଲୋକେ ନ ଆସିବାରୁ ଏବର୍ଷ ରବି ଋତୁରେ ଚାଷୀକୁ ବଡ ବିପଦ ବୋଲି ସେ କହିଛନ୍ତି।