ଗଂଜାମ ଚାଷୀ ମୁଣ୍ଡରେ ଚଡ଼କ, ୩ ହଜାର ହେକ୍ଟର ଜମିରେ ପରିବା ନଷ୍ଟ

ଭଂଜନଗର/ଶେରଗଡ଼/ପାଟପୁର : କାଳବୈଶାଖୀ ବର୍ଷାରେ ଗଞ୍ଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡ ଅଧୀନ ଶେରଗଡ, ହିଂଜିଳିକାଟୁ, କବିସୂଯ୍ୟର୍ନଗର, ବୁଗୁଡା, ଆସିକା, ସୋରଡା, ଧରାକୋଟ, ବେଲଗୁଣ୍ଟା, ଜଗନ୍ନାଥପ୍ରସାଦ ଆଦି ବ୍ଲକରେ କ୍ଷୁଦ୍ର ଓ ମଧ୍ୟମ ଚାଷୀ ପ୍ରଭାବିତ ହୋଇଛନ୍ତି। ପରିବା, ଡାଲି ଓ ତୈଳଜାତୀୟ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀ ଚିନ୍ତାରେ।

ବର୍ତମାନ ୧୦ଟିଯାକ ବ୍ଲକରେ ରବି ଓ ଖରିଫ୍‌ ଚାଷ ଉଭୟ ହେଉଛି। ଛୋଟ ଓ ମଧ୍ୟମ ଚାଷୀ ମାନେ ୨୨ହଜାର ହେକ୍ଟର ଜମିରେ ତୈଳଜାତୀୟ ଶସ୍ୟ ଓ ପନିପରିବା ଚାଷ କରୁଛନ୍ତି। ଗତ କିଛିଦିନ ତଳେ କାଳବୈଶାଖୀ ବର୍ଷାର କୁଆପଥର ମାଡ଼ରେ ୩ ହଜାର ହେକ୍ଟର ଜମିରେ ପରିବା ନଷ୍ଟ ହୋଇଥିଲା। କିଛି ଦୁର୍ଗମ ଅଞ୍ଚଳର ଚାଷୀଙ୍କ ସହ ଆମର କଥାବାର୍ତା ବେଳେ ସେମାନେ ଦୁଃଖ ବଖାଣିଥିଲେ। କୃଷି ବିଭାଗ ଓ ଉଦ୍ୟାନ ବିଭାଗୀ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳି ନଥିବା କହିଥିଲେ। କିନ୍ତୁ ଗତ ଦୁଇ ଦିନ ହେଲା ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଯେମିତି କଟା ଘା’ରେ ଚୂନ ସଦୃଶ ପାଲଯିଛି। ବିଶେଷକରି ବନ୍ଧାକୋବି, ଫୁଲକୋବି, ଟମାଟ, ବାଇଗଣ, କଦଳୀ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।

ଗଂଜାମ ଜିଲ୍ଳାର ପରିବା ଝୁଡ଼ି ବୋଲାଉଥିବା ଶେରଗଡ଼ ବ୍ଲକରେ ଆଜି ସ୍ଥିତି ପରଖାଯାଇଥିବା ବେଳେ ବ୍ରାହ୍ମଣଛାଇ ଗ୍ରାମରେ ପରିବା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ହିଂଜିଳିକାଟୁ ଓ କବିସୂର୍ଯ୍ୟନଗର ବ୍ଲକ୍‌ରେ ଉତ୍ପାଦିତ ହେଉଥିବା ପନିପରିବା ଓଡ଼ିଶାର କୋଣ ଅନୁକୋଣକୁ ଯାଉଥିଲା। ସଂପ୍ରତି କାଳବୈଶାଖୀରେ ପନିପରିବା ସବୁ ନଷ୍ଟ ହେବା ପରେ କୋରାପୁଟ ଓ କନ୍ଧମାଳ ଜିଲ୍ଲାରୁ ଆସୁଥିବା ପରିବା ଉପରେ ନିର୍ଭର କରିବାକୁ ପଡୁଥିବା କହିଛନ୍ତି ସାନକୋଦଣ୍ଡା ପଂଚାୟତର ଚାଷୀ ରାମ ମହାଙ୍କୁଡ।

ସମ୍ବନ୍ଧିତ ଖବର