କଟକ: ଦୁଇ ଯୁବଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର, ଗଞ୍ଜେଇ ବେପାର କାରଣ

କଟକ: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗର୍ତ ମାଣିଆବନ୍ଧା ଓ ବିନ୍ଧାରିଆ ଗାଁର ଦୁଇ ଅସାମାଜିକ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନରସିଂହପୁରର ନୂଆପାଟଣା ବଜାରରେ ମାଣିଆବନ୍ଧା ଓ ବିନ୍ଧାରିଆ ଗାଁର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବିଶେଷ କରି ଗଞ୍ଜେଇ ଚୋରା ବେପାରକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଗାଁକୁ ଫେରିବା ପରେ ଦୁଇଗେଷ୍ଠୀ ପରସ୍ପରକୁ ମୋବାଇଲ ଫୋନ୍‌ରେ ଚାଲେଞ୍ଜ ଦେଇ ଗଣ୍ଡଗୋଳ ପାଇଁ ଆହ୍ଵାନ ଦେଇଥିଲେ। ତେବେ ବିଳମ୍ବିତ ରାତିରେ ବିନ୍ଧାରିଆ ଗାଁର କେତେକ ଯୁବକ ଆସି ମାଣିଆବନ୍ଧ ଗାଁରେ ପହଞ୍ଚିବା ପରେ ଗଣ୍ଡଗୋଳ ବଢ଼ିଯାଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ବୋମାମାଡ଼ କରିବା ସହିତ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ବିନ୍ଧାରିଆ ଗ୍ରାମର ବିକାଶ ସାହୁ(୨୫ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଇନ୍ଦ୍ରମଣି ସେଠ୍‌ ବୋମାମାଡ଼ରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର