ଅଡୁଆରେ ପୁରୀ ସିଡିଏମ୍ଓ: ଅବାଞ୍ଛିତ ଶିଶୁଙ୍କ ପାଇଁ ଝୁଲା ବ୍ୟବସ୍ଥା କରିବା ଘଟଣାରେ ଏଚଆରସିଙ୍କ ନୋଟିସ୍
ତଦନ୍ତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ ଦେବାକୁ ନିର୍ଦ୍ଦେଶ
ପୁରୀ: ଡାକ୍ତରଖାନାରେ ଅବାଞ୍ଛିତ ଶିଶୁଙ୍କ ପାଇଁ ଝୁଲା ବ୍ୟବସ୍ଥା କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଅଡୁଆରେ ପଡ଼ିଛନ୍ତି। ରାଜ୍ୟ ମାନବିକ ଅଧିକାର କମିସନ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ତଦନ୍ତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ କମିସନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ନୂଆ ଓ ଭିନ୍ନ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଗ୍ରହଣ କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଅବାଞ୍ଛିତ ପିଲାଙ୍କୁ ଛାଡ଼ିଯିବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଝୁଲାର ବ୍ୟବସ୍ଥା କରିଥିଲେ। ଗତ ନଭେମ୍ବର ମାସ ୨୨ ତାରିଖରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି (ସିଡବଲ୍ୟୁସି)ର ସଦସ୍ୟ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀମାନଙ୍କୁ ଡାକି ଏହାର ଉଦଘାଟନ ମଧ୍ୟ କରିଥିଲେ। ଏମିତି ଏକ ଅଦ୍ଭୁତ ଓ ଅମାନବୀୟ ପଦକ୍ଷେପ ତାଙ୍କ ପାଇଁ ଏବେ ଅଡୁଆ ସୃଷ୍ଟି କରିଛି। ଏହା ନବଜାତ ଶିଶୁ ବିଶେଷକରି କନ୍ୟା ସନ୍ତାନମାନଙ୍କୁ ଅବହେଳିତ ଭାବେ ଫୋପାଡିଦେବାକୁ ପ୍ରୋତ୍ସାହନ କରିବା ସହିତ ଶିଶୁ ଅଧିକାରକୁ ଉଲଂଘନ କରୁଥିବା ଦର୍ଶାଇ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ରାଜ୍ୟ ମାନବିକ ଅଧିକାର କମିସନଙ୍କ ନିକଟରେ ମାମଲା ରୁଜୁ କରିଥିଲେ।
ମମଲାକୁ ବିଚାର କରି କମିଶନ ପୁରୀ ଜିଲ୍ଲା ହସ୍ପିଟାଲ୍ ଅଧିକ୍ଷକଙ୍କୁ ନୋଟିସ୍ ଜାରି କରିବା ସହ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ କମିସନ କହିଛନ୍ତି।
ଆବେଦନକାରୀ ଶ୍ରୀ ଅଖଣ୍ଡ ଦର୍ଶାଇଥିଲେ ଯେ, ହସ୍ପିଟାଲରେ ଶିଶୁ ଜନ୍ମ ସମୟରେ ମା’ ଓ ଶିଶୁର ସୁରକ୍ଷା ଓ ନିରାପତା ଦାୟିତ୍ୱ ହସ୍ପିଟାଲ କର୍ତୁପକ୍ଷଙ୍କର। କିନ୍ତୁ ଏହା ନକରି ଯେଉଁ ମା’ମାନେ ପିଲାମାନଙ୍କୁ ଅବାଞ୍ଛିତ ବୋଲି ଭାବିବେ, ସେମାନେ ଶିଶୁମାନଙ୍କୁ ଏହି ଝୁଲାରେ ରଖିଦେଇ ଯିବେ ବୋଲି ହସ୍ପିଟାଲରେ ବ୍ୟବସ୍ଥା ରଖିବା ଅତ୍ୟନ୍ତ ଅମାନବୀୟ। କମିସନ ମଧ୍ୟ ତାଙ୍କ ଶୁଣାଣି ସମୟରେ ଏହା ଉଲ୍ଲେଖ କରିଛନ୍ତି। ଏହି ଝୁଲା ଉଦଘାଟନ ସମୟରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଉପସ୍ଥିତ ରହିବା ମଧ୍ୟ ଦୁର୍ଭାଗ୍ୟଜନକ। ମାନବିକ ଅଧିକାର କମିସନ ଏହାକୁ ଗୁରୁତର ସହ ନେଇଛନ୍ତି। ରିପୋର୍ଟ ମିଳିବା ପରେ ଏହି ମାମଲାର ବିଚାର ଡିଭିଜନ୍ ବେଞ୍ଚରେ ହେବ। ଅର୍ଥାତ କମିସନଙ୍କ ଦୁଇ ସଦସ୍ୟ ଏକତ୍ର ଏହି ମାମଲାର ଶୁଣାଣି କରିବେ। କମିସନଙ୍କ ଏହି ନିର୍ଦ୍ଦେଶ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅମାନବୀୟ ବ୍ୟବସ୍ଥାକୁ ଉଠାଇଦେବେ ବୋଲି ଆଶା କରାଯାଉଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୦ ତାରିଖରେ ହେବ।