ବିପର୍ଯ୍ୟସ୍ତ ବାଲିକୁଦା ସ୍ୱାସ୍ଥ୍ୟକେନ୍ଦ୍ର:ଜଣେ ଡାକ୍ତର, ୩ ନର୍ସରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା ଠପ୍‌ :ବର୍ଷେ ପରେ ବି ଲାଗି ପାରିଲାନି ଲିଫ୍‌ଟ:ପରିମଳ ବ୍ୟବସ୍ଥା ସାଂଘାତିକ

ଜଗତସିଂହପୁର ଟାଉନ୍‌: ବାଲିକୁଦା ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏଠି ପ୍ରସୂତି ଓ ନବଜାତ ଶିଶୁଙ୍କୁ ମିଳୁନି ଉପଯୁକ୍ତ ସେବା। ମାତ୍ର ଜଣେ ବିଶେଷଜ୍ଞ ଡାକ୍ତର, ତିନି ଜଣ ନର୍ସ  ଏବଂ ତିନି ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର। ଫଳରେ ପ୍ରସୂତିଙ୍କୁ ଚିକିତ୍ସା, ସେବା ଓ ସ୍ୱଚ୍ଛତା ମିଳୁିନାହିଁ। କର୍ମଚାରୀ ଅଭାବରୁ କୌଣସି ସେବା ଠିକ୍‌ ଭାବରେ ମିଳିପାର ୁନଥିବା ଅଭିଯୋଗ ହେଉଛି।

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରୀ, କେନ୍ଦ୍ରପଡ଼ା ଏବଂ  ଜଗତସିଂହପୁରର କେତେକ ପଞ୍ଚାୟତର ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭ କରନ୍ତି। ପ୍ରସୂତିଙ୍କ ସଂଖ୍ୟା ଅଧିକ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବାଲିକୁଦା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୩୦ ଶଯ୍ୟା ବିଶିଷ୍ଟ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି।୨୦୧୬ ମସିହା ଡିସେମ୍ବର ୨୦ ତାରିଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏହି କୋଠାର କାମ ଦିଆଯାଇଥିବା ଠିକାଦାର ଠକି ଛୁ ମାରିଛି। ପ୍ରଥମତଃ କୋଠାରେ ଲଗା ଯାଇଥିବା କବାଟ, ଝରକା, ଶୌଚାଳୟ ସାମଗ୍ରୀ, ଗ୍ରିଲିଂ, ରଙ୍ଗ, ବିଦ୍ୟୁତ୍‌ ଉପକରଣ, ଶଯ୍ୟା ଅତି ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଫ୍ୟାନ୍‌ ବୁଲୁନାହିଁ। ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ରୋଗୀ। ଅନେକ ସ୍ଥାନରେ ଝରକା, କବାଟ ଭାଙ୍ଗି ପଡ଼ିଛି। ଗୋଟିଏ ବର୍ଷ ଭିତରେ ଏଭଳି ଘଟଣା ଘଟିଥିଲେ ହେଁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ।

ଅଲଟ୍ରାସାଉଣ୍ଡ ମେସିନ୍‌ ଏବଂ ଆବଶ୍ୟକ ପରୀକ୍ଷା ସୁବିଧା ନଥିବାରୁ ପ୍ରସୂତି ନାନା ସମସ୍ୟାରେ ପଡ଼ୁଛନ୍ତି। ମାତ୍ର ୧୬ଟି ଟେଷ୍ଟ କରାଯିବାକୁ ଥିଲେ ହେଁ ଏଥିପାଇଁ ଟେକ୍ନିସିଆନ୍‌ ନାହାନ୍ତି। ଏକ୍ସରେ ମେସିନ ନାହିଁ।  ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ନଥିବା ମୁଖ୍ୟ ସମସ୍ୟା ପାଲଟିଛି। ବର୍ତ୍ତମାନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ସୁବାସ ବେହେରା ରହିଛନ୍ତି। ଶିଶୁ ବିଭାଗ ପାଇଁ ଡ.ଅଜୟ ସ୍ୱାଇଁ ଥିଲେ ହେଁ ସେ ବାଲିକୁଦା ମେଡ଼ିକାଲ ଚାର୍ଜରେ ଥିବାରୁ ଅଧିକ ସମୟ ଦେଇ ପାରୁନାହାନ୍ତି। ପ୍ରତିଦିନ ୪୪ରୁ ୫୦ ଜଣ ପ୍ରସୂତି ବାଲିକୁଦା ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୧୫ ଜଣଙ୍କର ଡେଲିଭରି ଏଠାରେ ହୋଇଥାଏ। ଆନାସ୍ଥେସିଆ ଡାକ୍ତର ନାହାନ୍ତି ।ତିନି ଜଣ ନର୍ସ ତିନୋଟି ସିଫ୍‌ଟ୍‌ରେ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଚଳିତ ମାସ ୩୧ ତାରିଖରେ ଅବସର ନେବେ। ଆଟେଣ୍ଡାଣ୍ଟ ନଥିବାରୁ ରୋଗୀଙ୍କ ସାଲାଇନ୍‌, ଇଞ୍ଜେକସନ ବି ଠିକ୍‌ ସିମୟରେ ଦିଆଯାଉନଥିବା ଅଭିଯୋଗ ହୋଇଛି। ଅନେକ ସମୟରେ କୌଣସି ପରାମର୍ଶ ପାଇଁ ଗଲେ ନର୍ସ ବିରକ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି।

ୱାର୍ଡ, ଶୌଚାଳୟ ଏବଂ ବାରଣ୍ଡା ଅଳିଆ ଆବର୍ଜଜାରେ ଭର୍ତ୍ତିି। ଏହାଦ୍ୱାରା ମା ଓ ଶିଶୁଙ୍କୁ ସଂକ୍ରମଣ ହେବାର ଆଶାଙ୍କା ରହିଛି। ଶୌଚାଳୟ ଗୁଡ଼ିକ ସଫା ହେଉନାହିଁ। କିଛି ଦିନ ତଳେ ଅବହେଳା ଯୋଗୁଁ ଜଣେ ପ୍ରସୂତି ବାରଣ୍ଡାରେ ପ୍ରସବ କରିଥିଲେ। ବିକଳ ହୋଇ ଡାକ୍ତର-ନର୍ସଙ୍କୁ ଡାକିଥିଲେ ମଧ୍ୟ କେହିବି ଆସିନଥିଲେ। ଏନେଇ ମାନବାଧିକାର କମିସନ୍‌ ରିପୋର୍ଟ ତଲବ କରିଛନ୍ତି।

ଏନେଇ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅଜୟ କୁମାର ଜେନା କହିଥିଲେ ଯେ, ଆବଶ୍ୟକୀୟ ଷ୍ଟାଫ୍‌ ନର୍ସ, ଡାକ୍ତର ଓ କର୍ମଚାରୀ ନଥିବାରୁ ସମସ୍ୟା ସୃଷ୍ଟି ହେଉଛି। ବର୍ତ୍ତମାନ ଅତିକମ୍‌ରେ ୪ ଜଣ ଡାକ୍ତର, ୮ ଜଣ ଷ୍ଟାଫ୍‌ ନର୍ସ, ୬ ଆଟେଣ୍ଡାଣ୍ଟ, ୮ ଜଣ ସୁଇପର ଆବଶ୍ୟକତା ରହିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇ ପାରୁନାହୁଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର