ଏରଡ଼ା-ଆଳିପିଙ୍ଗଳ ବାଲି ଘାଟରୁ ଯାଉଥିଲା ବଟି:ବନ୍ଧା ହେବେ ଟିଟୋ ସହଯୋଗୀ ବାଲି ମାଫିଆ

ଦିପ୍ତୀ ଗିିରଫ ପରେ ସରପଞ୍ଚ ଛାନିଆ

ଜଗତସିଂହପୁର ଟାଉନ୍‌,: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀର ସହଯୋଗୀ ଦିପ୍ତୀ ରଂଜନ ଦାସ ଗିରଫ ହେବା ପରେ ଜଗତସିଂହପୁର ଅଞ୍ଚଳରେ ଚାଲିଥିବା ଅପରାଧୀକ କାର୍ଯ୍ୟକଳାପର ଗୁମର ଫିଟିବାରେ ଲାଗିଛି। ଏସ୍‌ଟିଏଫ୍‌ ପକ୍ଷରୁ ଏବେ ବିଭିନ୍ନ ମାମଲାର ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଜଗତସିଂହପୁରରେ ଥିବା ବାଲିମାଫିଆଙ୍କ ଟିଟୋ ସହ ସମ୍ପର୍କକୁ ନେଇ ଛାନଭିନ୍‌ ଚାଲିଥିବା ସୂଚନା ମିଳିଛି।
ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ ସହ ଟିଟୋର ନଜରରେ ରହିଥିଲା ଜଗତସିଂହପୁର କିଛି ବାଲିଘାଟ। ତେବେ ଦେବୀ ନଦୀରେ ଥିବା ନାଉଗାଁର ଏରଡ଼ା ବାଲିଘାଟ ଏବଂ ଆଳିପିଙ୍ଗଳ ବାଲି ଘାଟରୁ ଟିଟୋକୁ ମାସିକିଆ ବଟିଯାଉଥିବା ଘଟଣା ସାମନାକୁ ଆସିଛି। ସରକାରୀ ତଥ୍ୟ କହୁଛିଯେ, ୨୦୧୫ ମସିହାରୁ ନାଉଗାଁ ଏରଡ଼ା ବାଲିଘାଟକୁ କେନ୍ଦ୍ରାପଡ଼ା ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ ଲିଜ୍‌ରେ ନେଇଛନ୍ତି। କିନ୍ତୁ ପ୍ରକୃତରେ ଏହି ବାଲିଘାଟକୁ ଜଗତସିଂହପୁର-ଆଳିପିଙ୍ଗଳ ଅଞ୍ଚଳର ଜଣେ ସରପଞ୍ଚ ଚଲାଉଛନ୍ତି।
ଏହି ବାଲଘାଟରୁ ବାର୍ଷିକ ୩ ହଜାର କ୍ୟୁବିକ୍‌ ମିଟର ବାଲି ଉଠାଇବା ପାଇଁ ରାଜସ୍ୱ ବିଭାଗ ୮ ଲକ୍ଷ ୧ ଜହାର ଟଙ୍କା ରୟାଲିଟି ଧାର୍ଯ୍ୟ କରିଛନ୍ତି। ଅନ୍ୟନ୍ୟ ଖର୍ଚ୍ଚକୁ ମିଶାଇଲେ ବାର୍ଷିକ ପ୍ରାୟ ୧୨ ଲକ୍ଷ ଟଙ୍କାର ରାଜସ୍ୱ ଏହି ଘାଟରୁ ଆୟ ହେଉଛି। କିନ୍ତୁ ଦୁଃଖର ବିଷୟ ବାଲି ଘାଟ ମାଲିକ ଧାର୍ଯ୍ୟଥିବା ବାଲି ଉଠାଣ ଠାରୁ ଶହେ ଗୁଣା ଅଧିକ ବାଲି ଉଠାଇବା ସହ ବେଫିକର ହୋଇ ସମସ୍ତ ପ୍ରକାର ନୀତି ନିୟମକୁ ବେଖାତିର କରି ଚାଲିଛନ୍ତି। ଟିଟୋ ଡରରେ ଖୋଦ୍‌ ତହସିଲଦାର, ରାଜସ୍ୱ ବିଭାଗ, ପୁଲିସ, ପ୍ରଶାସନ ସମର୍ଥନ ଦେଇ ଆସୁଥିଲେ। ଏରଡ଼ା ଘାଟ ପାଇଁ ନାଉଗାଁ ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାଲିଘାଟ ଟୁଙ୍ଗିରେ ଜଗତସିଂହପୁର ଅଞ୍ଚଳରେ ଅପରାଧର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି। ପ୍ରାୟ ୨୦ରୁ ଉଦ୍ଧ୍ଵର୍ ଯୁବକ ଏଠାରେ ରହି ଗ୍ରାମବାସୀଙ୍କୁ ଧମକଚମକ ଦେଇ ନିକଟରେ ଏକର ଏକର ସ୍ଥାନରେ ବାଲି ଗଚ୍ଛିତ କରି ବିକ୍ରି କରୁଛନ୍ତି। ପୂର୍ବରୁ ଅନେକ ସମୟରେ ଗୁଳି ଫୁଟିବା, ବୋମା ମାଡ଼ ହେବା ଏବଂ ଗୋଷ୍ଠୀ ସଂଘର୍ଷ ଘଟଣା ସାମନାକୁ ଆସିଛି। ଏରଡ଼ା ବାଲିଘାଟ ସହ ଜଗତସିଂହପୁର ତହସିଲ୍‌ ଅଧୀନରେ ଥିବା ଆଳିପିଙ୍ଗଳ ବାଲିଘାଟରେ ବି ଟିଟୋର ଦବଦବା ରହିିଛି। ୨୦୧୫ ମସିହାରେ ଜଗତସିଂହପୁର ଆଳିପିଙ୍ଗଳ ବାଲିଘାଟକୁ ରବୀନ୍ଦ୍ର ନାଥ ଜେନା ଲିଜ୍‌ରେ ନେଇଛନ୍ତି।

ହେଲେ ଏହି ବାଲି ଘାଟକୁ ବି ଏରଡ଼ା ବାଲିଘାଟ ଚଳାଉଥିବା ସରପଞ୍ଚ ଚଳାଉଛନ୍ତି। ଏହି ବାଲିଘାଟରୁ ବାର୍ଷିକ ୮ ହଜାର କ୍ୟୁବିକ୍‌ ମିଟର ବାଲି ଉଠାଇବା ପାଇଁ ରାଜସ୍ୱ ବିଭାଗ ୧୭ ଲକ୍ଷ ୭୬ ଜହାର ଟଙ୍କା ରୟାଲିଟି ଧାର୍ଯ୍ୟ କରିଛନ୍ତି। ହେଲେ ଧାର୍ଯ୍ୟ ଲକ୍ଷର ଏକ ହଜାର ଗୁଣା ବାଲି ଉଠାଯାଉଛି। ତହସିଲ ଚିହ୍ନଟ କରିଥିବା ସ୍ଥାନ ଠାରୁ ଏହି ବାଲିଘାଟ ପ୍ରାୟ ୮ ଶହ ମିଟର ଅଧିକ ସ୍ଥାନରୁ ବାଲି ଉଠାଣ କରୁଛି। ଓଭର ଲୋଡିଂ ବାଲି ଯିବା ଦ୍ଵାରା ଆଳିପିଙ୍ଗଳ ଠାରୁ ଜଗତସିଂହପୁର ପୋଷ୍ଟ ଅଫିସ ଏବଂ କଲେଜ ଛକକୁ ଛୁଇଁଥିବା ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ସେହିପରି କଟକ ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଆଳିପିଙ୍ଗଳ ସେତୁ ଦୁର୍ବଳ ହୋଇ ଯାଇଛି। ଯାହା କେତେବେଳେ ଯେ ଭୁଶୁଡ଼ିବ ତାହା କହି ହେବ ନାହିଁ। ଜଗତସିଂହପୁର ସହର ମଧ୍ୟରେ ଭାରୀଯାନ ଚଳାଚଳ ବନ୍ଦ କରାଯିବା ପାଇଁ ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ ବେଖାତିର କରାଯାଇଛି। ଦିପ୍ତୀ ଦାସ ଗିରଫ ହେବା ପରେ ବାଲି ମାଫିଆଙ୍କୁ ଗିରଫ କରିବା ପାଇଁ ଏବେ ଏସ୍‌ଟିଏଫ୍‌ ଯୋଜନା କରୁଥିବା ସୂଚନା ମିଳିବା ପରେ ସେମାନଙ୍କ ମଧ୍ୟରୁ ଅନେକ ଅଞ୍ଚଳ ଛାଡ଼ି ଚାଲି ଯାଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର