ସାଇକଲ୍‌୍‌ରେ ନିଖୋଜ ପତ୍ନୀଙ୍କୁ ଖୋଜୁଛନ୍ତି ବୃଦ୍ଧ

କୋରେଇ: ‘‘ ବାବୁ ୟାକୁ କେଉଁଠି ଦେଖିଛନ୍ତି କି, ଇଏ ମୋର ସ୍ତ୍ରୀ। ୧୦ ଦିନ ହେଲାଣି ଘରୁ କୁଆଡେ ପଳେଇଛି। ତାର ମୁଣ୍ଡ ଟିକେ ଖରାପ ତ, କୋଉଠି ଥିବା କେଜାଣି, ଦେଖିଲେ ଟିକେ ମତେ ଖବର ଦେବେ’’। ଧୁ ଧୁ ଖରାରେ ନିଜର ୫୦ ବର୍ଷର ସ୍ତ୍ରୀକୁ ଖୋଜିବା ପାଇଁ ସାଇକଲ୍‌ରେ ସହରୁ ସହର ବୁଲି ନେହୁରା ହେଉଛନ୍ତି ଜଣେ ୫୫ ବର୍ଷର ବୃଦ୍ଧ। ଆଜି ୨୧୫ ନମ୍ବର ଜାତୀୟ ରାଜପଥର ଧନେଶ୍ୱର ଓଭରବ୍ରିଜ ଉପରେ ବସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା ଉକ୍ତ ବୃଦ୍ଧ ଜଣଙ୍କୁ । ଖବର ନେବରେ ଜଣାପଡ଼ିଲା ଯେ ନିଖୋଜ ଥିବା ନିଜ ବୃଦ୍ଧା ପତ୍ନୀଙ୍କୁ ଖୋଜି ଖୋଜି ନୟାନ୍ତ ହେବା ପରେ ହତୋତ୍ସାହିତ ହୋଇ ବୃଦ୍ଧ ଜଣକ କାନ୍ଦୁଛନ୍ତିି। ମିଳିଥିବା ସୁଚନାନୁସାରେ ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡ଼ିଆ ପଂଚାୟର ନୂଆଡ଼ିହି ଗ୍ରାମର ସୁଦନ ମାହାନ୍ତ (୫୫) ଚାଷକାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି। ପରିବାର କହିଲେ ମାନସିକ ନ୍ୟୂନ ପତ୍ନୀ ସାବି(୫୦) ଏବଂ ଦୁଇ ପୁଅ ଓ ଚାରିଝିଅ।

ସେମାନଙ୍କ ମଧ୍ୟରୁ ଦୁଇ ପୁଅ ଓ ଦୁଇ ଝିଅ ବିବାହ କରିଥିବା ବେଳେ ପୁଅମାନେ ଅଲଗା ରହୁଛନ୍ତି। ଘରେ ଆଉ ଦୁଇଜଣ ବିବାହ ଯୋଗ୍ୟ ଝିଅ ରହିଥିବା ବେଳେ ଜଣେ ସାଧାରଣ ଚାଷୀ ଭାବେ ଦୁଃଖ କଷ୍ଟରେ ଚଳୁଥିବା ଏହି ପରିବାର ଉପରେ ଚଳିତ ମସ ୧୩ ତାରିଖ ଦିନ ମାଡ଼ିଆସିଥିଲା ବିପଦ। ହଠାତ୍‌ କାହାକୁ କିଛି ନକହି ପତ୍ନୀ ସାବି ଘରୁ କୁଆଡ଼େ ଚାଲିଯାଇଥିଲେ। ସାବିଙ୍କର ଉଚ୍ଚତା ୫ ଫୁଟ ୨ ଇଂଚ ହୋଇଥିବା ବେଳେ ରଙ୍ଗ ଗୋରା ଓ ଘରୁ ଗଲା ବେଳକୁ ସେ ଲାଲ ରଙ୍ଗର ଶାଢୀ ପିନ୍ଧିଥିଲେ।

ସୁଦନ ଓ ତାଙ୍କ ପରିବାର ଲୋକେ ସମସ୍ତ ବନ୍ଧୁ ବାନ୍ଧବ ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସାବିଙ୍କର କୌଣସି ସନ୍ଧାନ ନମିଳିବାରୁ ୧୫ ତାରିଖ (ସାବିତ୍ରୀ ଅମାବାସ୍ୟା) ଦିନ ସୁକିନ୍ଦା ଥାନାରେ ପତ୍ନୀ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଅର୍ଥାଭାବରୁ ନିଜର ଭଙ୍ଗା ଦଦରା ସାଇକେଲରେ ଜିଲ୍ଲାର ବିଭିନ୍ନ ଥାନାକୁ ଯିବା ସହିତ ନିଖୋଜ ପତ୍ନୀଙ୍କ ଫଟୋକୁ ଦେଖାଇ ସହାୟତା କରିବା ପାଇଁ ନିବେଦନ କରୁଛନ୍ତି। ପୁଲିସ ଉପରେ ନିର୍ଭର ନକରି ନିଜ ଭଙ୍ଗା ଦଦରା ସାଇକଲ୍‌ରେ ବୁଲି ପତ୍ନୀଙ୍କୁ ଖୋଜୁୁଛନ୍ତି ବୃଦ୍ଧ ସୁଦନ। କୈାଣସି ସହୃଦୟ ବ୍ୟକ୍ତି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନାରେ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର