ଗଛରେ ପିଟିହେଲା କାର: ଦୁଇ ଭାଇ ମୃତ

କୋରେଇ: କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ରଣେଶ୍ବରପୁର ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। କୋରେଇ ପୁଲିସ୍ ଏନେଇ ୪/୧୯ରେ ଏମ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଘଟଣା ମୁତାବକ ଗତକାଲି ବିଳମ୍ବିତ ରାତିରେ ସାଦକପୁର ପଞ୍ଚାୟତ ମହୁରିଆ ସାହିର ଅନନ୍ତ ଜେନାଙ୍କ ପୁଅ ଆଲୋକ(୧୯), ଫାଜଲପୁର ଗ୍ରାମର କୁନା ନାୟକଙ୍କ ପୁଅ ଉପେନ୍ଦ୍ର ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ବାହାରକୁ ଯାଉଥିଲେ। ସୂଚନା ଯୋଗ୍ୟ ଯେ ଆଲୋକଙ୍କୁ କୁନା ନାୟକ ପୌଷ୍ୟ ଭାବେ ଗ୍ରହଣ କରିଥିଲେ।
ଏହି ତିନି ଜଣ ଏବଂ ଡ୍ରାଇଭର କାର (ଓଡ଼ି ୩୪ ଏ ୫୧୫୧)ରେ ଦ୍ରୁତଗତିରେ ଯାଉଥିବା ବେଳେ ଏକ ବୁଲାଣି ନିକଟରେ ରାସ୍ତା କଡ଼ରେ ଥିବା ବରଗଛରେ ଖୁବଜୋରରେ ପିଟି ହୋଇଯାଇଥିଲା। ଏତେ ଜୋରରେ ପିଟି ହୋଇଥିଲା ଯେ ଗାଡ଼ିର ଇଂଜିନ ଭିତରକୁ ପଶି ଯିବା ସହିତ ଗାଡ଼ିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଘଟଣା ଜଣାପଡ଼ିବା ପରେ କିଛି ଲୋକ ସେଠାରେ ପହଞ୍ଚି ଆମ୍ବୁଲାନ୍ସରେ ଆହତଙ୍କୁ ମେଡ଼ିକାଲକୁ ପଠାଇଥିଲେ।
ଯାଜପୁରରେ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ କଟକ ବଡ଼ ଡାକ୍ତରଖାନାରେ ଆଲୋକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ଯୁବତୀ ଜଣଙ୍କ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କଟକରେ ଚିକିତ୍ସାଧୀନ ଥିବା କାର୍‌ ଚାଳକଙ୍କ ପରିଚୟ ମିଳିପାରିନାହିଁ। ଆଲୋକ ନାଗପୁରରେ ରହି କାମ କରୁଥିବା ବେଳେ ସୋମବାର ଗାଁକୁ ଆସିଥିଲେ। ଅନ୍ୟପଟେ ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କାରଗିଲ ଛକରେ ଏକ ହମ୍ପସ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର