ଝାରସୁଗୁଡ଼ା: ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ସମାଜରୁ ଛୁଆଁ-ଅଛୁଆ ଭେଦଭାବ ଦୂର ହୋଇନାହିଁ । ଫଳସ୍ବରୂପ ଜଣେ ମହିଳାଙ୍କୁ ମଶାଣିକୁ ନେବା ପାଇଁ ଚାରି କାନ୍ଧ ମିଳି ନଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଂଚଳରେ ବୁଧବାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନୈକା ବିଧବା ମହିଳାଙ୍କ ପରଲୋକ ପରେ ପୁଅ ୪ କିଲୋମିଟର ଦୂର ରାସ୍ତା ସାଇକେଲରେ ବୋହି ନେଇ ପୋତି ଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ ଲଖନପୁର ବ୍ଲକ ଅନ୍ତର୍ଗତ ସରଣ୍ଡାମାଲ ପଂଚାୟତ କର୍ପାବାହାଲରେ ଦିନ ମଜୁରିଆ ଭାବରେ କାର୍ଯ୍ୟରତ ବିଧବା ମହିଳା ଜାନକୀ ସିନ୍ଦିରିଆ (୩୭) ସକାଳୁ ପାଣି ଆଣିବାକୁ ଯାଇଥିବା ବେଳେ ତଳେ ଖସି ପଡ଼ିଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ମଶାଣିକୁ ନେବା ପାଇଁ କେହି ବାହାରି ନ ଥିଲେ। ଏହା ପରେ ପୁଅ ସୂରଜ ସାଇକେଲରେ ବନ୍ଧବାହାଲ ନିକଟ ପତରାଜଙ୍ଗଲ ଭିତରକୁ ଜାନକୀଙ୍କ ମୃତଦେହକୁ ନେଇ ଯାଇଥିଲେ। ସେଠାରେ ସେ ମା’ଙ୍କ ମୃତଦେହ ପୋତି ଦେଇ ଆସିଥିଲେ।
ମା’ଙ୍କ ମୃତଦେହ ସାଇକେଲରେ ବୋହି ନେବା ପରେ ଘଟଣା ସ୍ଥାନୀୟ ଅଂଚଳରେ ପ୍ରଚାର ହୋଇଥିଲା। ସୂରଜଙ୍କ କହିବା ଅନୁସାରେ ମା’ଙ୍କ ମୃତଦେହ ମଶାଣିକୁ ନେବା ପାଇଁ ଗାଁ ଲୋକେ ସହଯୋଗ କରି ନଥିଲେ। ଅପରପକ୍ଷେ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ସେମାନଙ୍କୁ ଏ ବାବଦରେ କେହି କିଛି କହି ନାହାନ୍ତି।