ସେବାଶ୍ରମ ହଷ୍ଟେଲର ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିସ୍ଥିତ ସେବାଶ୍ରମ ହଷ୍ଟେଲର ଜଣେ ଛାତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଦୁଷ୍କର୍ମ କରିଥିବା ଦାରିଙ୍ଗିବାଡ଼ି ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ୨୦ରେ ସେବାଶ୍ରମର ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଜଣକ ସ୍କୁଲ ପରିସରରେ ନିଜେ ରହୁଥିବା କଲୋନୀକୁ ଡାକିଥିଲେ। ଛାତ୍ରୀଙ୍କୁ ଶିକ୍ଷକ ଜଣକ ବାସନକୁସନ ସଫା କରିବାକୁ କହିଥିଲେ। ଏହା ପରେ ଅସଦାଚରଣ ଓ ଦୁଷ୍କର୍ମ କରିଥିଲେ। ଗ୍ରୀଷ୍ମ ଛୁଟି ହେବା ପରେ ଛାତ୍ରୀ ଜଣକ ଘରକୁ ଆସିବା ପରେ ଅତୀତରେ ଘଟିଥିବା ସମସ୍ତ ଘଟଣାକୁ ଅଭିଭାବକଙ୍କ ନିକଟରେ ପ୍ରକାଶ କରିଥିଲେ। ପରିବାର ଲୋକେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ନାବାଳିକା ପୀଡ଼ିତାଙ୍କ ପିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଛାତ୍ରୀ ଜଣକ ଜଣେ ଆଦିବାସୀ ପରିବାରର ଝିଅ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜାନ ଲାଗି ରହିଛି। ସୂଚନାଯୋଗ୍ୟ ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ୧୦ରୁ ଅଧିକ ଦୁଷ୍କର୍ମ ଜନିତ ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର