ରାଜ୍ୟ ମହିଳା କମିସନ ଅଧ୍ୟକ୍ଷାଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ:ଶିବିର ଅଦାଲତରେ ୧୦ ମାମଲାର ସମାଧାନ 

ଫୁଲବାଣୀ: ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ.ଲୋପାମୁଦ୍ରା ବକ୍ସିପାତ୍ର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି। ଗସ୍ତର ଆଜି ପ୍ରଥମ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆୟୋଜିତ ଶିବିର ଅଦାଲତରେ ସେ ଯୋଗ ଦେଇ ମହିଳା ନ୍ୟାୟ ସମ୍ପର୍କିତ କେତେକ ମାମଲାର ଶୁଣାଣି କରିଥିଲେ। ଏହି ଅବସରରେ ପ୍ରଣୟନ ହୋଇଥିବା ଆଇନ ସମ୍ପର୍କରେ ଲୋକମାନେ ସଚେତନ ହେବା ସହ ତାର ସଦୁପଯୋଗ କରିବା ଉପରେ ଆଲୋକପାତ କରିଥିଲେ। ଏହି ଶିବିର ଅଦାଲତରେ ଦାଖଲ ହୋଇଥିବା ସମୁଦାୟ ୪୯ଟି ମାମଲାରୁ ୨୭ଟିର ପକ୍ଷ ଆସିଥିଲେ। ୧୧ଟିର ଉଭୟ ପକ୍ଷ ଆସିଥିବା ବେଳେ ୮ଟି ମାମଲାରେ କେବଳ ଆବେଦନକାରୀ ଆସିଥିଲେ। ଆଉ ୮ଟି ମାମଲାରେ କେବଳ ପ୍ରତିପକ୍ଷ ଦଳ ଆସିଥିଲେ।

ଏହି ଶିବିର ଅଦାଲତରେ ସମୁଦାୟ ୧୦ଟି ମାମଲା ବୁଝାମଣା ଆପୋଷ ସମାଧାନ ହୋଇଥିଲା। ଗୋଟିଏ ମାମଲା ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ଗୋଟିଏ ମାମଲା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସମାଧାନ ନିମନ୍ତେ ପଠାଯାଇଥିଲା। ସେହିଭଳି ୨ଟି ମାମଲାର ସମାଧାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିବେଦନ କରାଯାଇଥିବା ବେଳେ ଗୋଟିଏ ମାମଲାର ଶୁଣାଣି ପାଇଁ ଅନ୍ୟ ପ୍ରାଧିକରଣଙ୍କ ନିକଟକୁ ପଠାଯାଇଥିଲା। ୬ଟି ପକ୍ଷଙ୍କୁ ପୁର୍ନବାର ଶିବିର ଅଦାଲତରେ ଉପସ୍ଥିତ ପାଇଁ ନୋଟିସ୍‌ ଦିଆଯାଇଥିବା ବେଳେ ଆଉ ୬ଟି ମାମଲାକୁ ବନ୍ଦ କରି ଦିଆଯାଇଥିଲା।
ଆଜିର ଶିବିର ଅଦାଲତରେ ଆଉ ଗୋଟିଏ ନୂଆ ମାମଲା ଗ୍ରହଣ କରାଯାଇଛି। ବିଭିନ୍ନ ମାମଲା ନେଇ କନ୍ଧମାଳର ବହୁ ଆବେଦନକାରୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆବେଦନକାରୀ ଭୁବନେଶ୍ୱର ନ ଯାଇ ଜିଲ୍ଲା ସଦର ମହକୁମାରେ ଏହି ଶିବିର ଅଦାଲତରେ ନ୍ୟାୟ ପାଇଥିବାରୁ ଜିଲ୍ଲାପାଳ ଡା.ବୃନ୍ଦା ଡି କମିଶନ ଅଧ୍ୟକ୍ଷାଙ୍କୁ କୃତଜ୍ଞତା ଜଣାଇଥିଲେ। ଏସପି ପ୍ରତୀକ ସିଂ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ବିଭିନ୍ନ ମାମଲାର ସମାଧାନ ହୋଇଯିବ ବୋଲି ଆଶାବ୍ୟକ୍ତ କରିଥିଲେ। ଆସନ୍ତାକାଲି କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତର ୨ୟ ଦିନରେ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଆଇନ ସଚେତନତା କାର୍ଯର୍୍ୟକ୍ରମରେ ଯୋଗ ଦେବେ। ଆଜି ଅନୁଷ୍ଠିତ ଶିବିର ଅଦାଲତରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଓ ତିଳୋତମା ନାୟକ ସହଯୋଗ କରିଥିଲେ। ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ ପୁଲିସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର