ମାଟ୍ରିକ ପରୀକ୍ଷାଫଳ ବାହାରିବା ପୂର୍ବରୁ ଦୁର୍ଘଟଣା ନେଲା ଛାତ୍ରଙ୍କ ଜୀବନ

କେନ୍ଦ୍ରାପଡା: ସପନ ସଜାଡୁସଜାଡୁ ସରିଯାଇଛି ଜୀବନ | ଛାତ୍ର ଜୀବନର ପ୍ରଥମ ପରୀକ୍ଷାର ଆଜି ଫଳ ବାହାରିଥାନ୍ତା ,ଆଉ ଦେଖିଥାନ୍ତେ ଏକ ସୁନ୍ଦର ସ୍ବପ୍ନ | କିନ୍ତୁ ଜୀବନ ପରୀକ୍ଷାରେ ଆଜି ସେ ହାରିଯାଇଛନ୍ତି | ସଡକ ଦୁର୍ଘଟଣାରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି | ଏଭଳି ଏକ ହୃଦୟଥରା ଘଟଣା ଆଜି ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଶୋକର ଛାୟା ଖେଳାଇଦେଇଛି | ମୃତ ଛାତ୍ର ଜଣକ ରାଜନଗର ଅଞ୍ଚଳର ରାଜରାଜେଶ୍ଵରୀ ଗ୍ରାମର ରବିନ୍ଦ୍ର ମାଝୀଙ୍କ ପୁଅ ବିଶ୍ୱଜିତ୍ ମାଝୀ ବୋଲି ଜଣା ପଡିଛି |

କଟକ-ଚାନ୍ଦବାଲି ରାସ୍ତାର ବାରୋ ଛକଠାରେ ଏହି ଦୁର୍ଘଟଣା ଘଟିଛି | ସୋମବାର ବିଳମ୍ବିତ ରାତିରେ ବିଶ୍ୱଜିତ୍ ବୋଲେରୋରେ କଟକରୁ ଫେରୁଥିବାବେଳେ ବାରୋ ଛକଠାରେ ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକକୁ ବୋଲେରୋ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିବାବେଳେ ବୋଲେରୋ ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାଯାଇଛି | ମୃତ ବିଶ୍ୱଜିତ୍ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ | ଆଜି ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା | ବିଶ୍ୱଜିତ୍ ରାଜନଗରର ବନବିହାରୀ ଜୀଉ ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି |

ଘଟଣା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ଏଠାରେ ସୂଚନା ଥାଉ କି କେନ୍ଦ୍ରାପଡ଼ାରେ ସୋମବାର ଦିନ ୨ ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଆଜି ବଡ଼ି ଭୋରରୁ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର