ବିଜେଡି ଯୁବନେତାଙ୍କ ଗାଡ଼ିକୁ ଗୁଳିମାଡ଼

ଆନନ୍ଦପୁର: ଘସିପୁରାର ବିଜେଡି ଯୁବନେତା ନିରଞ୍ଜନ ସାହୁଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସେ ବ୍ୟବହାର କରିଥିବା ସ୍କର୍ପିଓ ଗାଡ଼ିର ପଛକାଚ ଭାଙ୍ଗି ଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଅପରାହ୍ନ ସାଢ଼େ ୪ଟାରେ ନିରଞ୍ଜନ ନିଜର ଧଳା ସ୍କର୍ପିଓ ଓଡି୦୨ଏଏ୫୦୬୦ ନମ୍ବର ଗାଡ଼ିରେ ଯାଜପୁରରୁ ଘରକୁ ଫେରୁଥିଲେ। ବେଲବାହାଳି ଛକ ନିକଟରେ ଟ୍ରାଫିକ୍‌ ଜାମ୍‌ରେ ଫସିଯାଇଥିଲେ। ଏହି ସମୟରେ ତାଙ୍କୁ ଦେଖିପାରି କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେ ସେଠାରୁ ପଳାଇ ଆସୁଥିବାବେଳେ ତାଙ୍କ ଗାଡିକୁ ଗୁଳିମାଡ଼ କରାଯାଇଥିବା ନେଇ ଘସିପୁରା ଥାନାରେ ଏତଲା ଦେଇଛନ୍ତି। ଆକ୍ରମଣରେ ଗାଡ଼ିର ପଛକାଚ ଭାଙ୍ଗି ଯାଇଛି। ତାଙ୍କ ଗାଡ଼ିକୁ ୬/୭ଜଣ ବନ୍ଧୁକଧାରୀ ଯୁବକ ଆକ୍ରମଣ କରିଥିବା ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ଘସିପୁରା ପୁଲିସ୍‌ ଏନେଇ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର